୩୯ ପିଲାଙ୍କୁ ୫ଶିକ୍ଷକ : ପିଲା ବିଦ୍ୟାଳୟ ପରିସରରେ, ଶିକ୍ଷକ ଘରେ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକର ନିର୍ଘଂଟ ସମୟକୁ ପରିବର୍ତନ କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସକାଳ ୬ ରୁ ୯ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକୁ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ନାଉଗାଁ ବ୍ଳକରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ଗୁଡିକ ସକାଳ ସମୟରେ ଖୋଲିବାକୁ ନିୟମ ରହିଥିବା ବେଳେ ଶିକ୍ଷକମାନେ ଏହାର ଫାଇଦା ନେଉଥିବା ଜଣାଯାଇଛି । ଏପରିକି ଶିକ୍ଷା ବିଭାଗ ପକ୍ଷରୁ ଠିକ୍ ଭାବେ ତଦାରଖ କରାଯାଉ ନଥିବା ଯୋଗୁ ଶିକ୍ଷକମାନେ ମନଇଚ୍ଛା ବିଦ୍ୟାଳୟକୁ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡାବର ୟୁଜିମଇ ବିଦ୍ୟାଳୟରେ । ସରକାରଙ୍କ ପକ୍ଷରୁ ସକାଳ ୬ଟାରୁ ବିଦ୍ୟାଳୟ ଖୋଲାଯିବା ପାଇଁ ନିୟମ ରହିଥିବା ବେଳେ ସକାଳ ୭ଟା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ କୌଣସି ଶିକ୍ଷକ ପହଁଚିନଥିଲେ । କିନ୍ତୁ ପିଲାମାନେ ସକାଳୁ ବିଦ୍ୟାଳୟରେ ଆସି ବିଦ୍ୟାଳୟ ପରିସରରେ ଖେଳୁଥିବା ଦେଖିବାକୁ ମିଳୁଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ୩୯ଜଣ ପିଲା ପାଠ ପଢୁଛନ୍ତି । ଏମାନଙ୍କୁ ପାଠ ପଢାଇବା ପାଇଁ ବିଦ୍ୟାଳୟରେ ୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସକାଳ ୬ଟାରୁ ବିଦ୍ୟାଳୟ ଖୋଲା ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ଯାହାଫଳରେ ପିଲାମାନେ ବିଦ୍ୟାଳୟକୁ ମଙ୍ଗଳବାର ନିର୍ଦ୍ଦିଷ୍ଟ ସମୟରେ ଆସି ସକାଳ ୭ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ବୁଲୁଥିବା ବେଳେ ବିଦ୍ୟାଳୟରେ କୌଣସି ଶିକ୍ଷକଙ୍କର ଦେଖାନଥିଲେ । ପ୍ରଥମେ ୭ଟା ପରେ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀ ସୁଦେସ୍ନା ସାହାଣୀ ଆସି ପହିଁଚିଥିଲେ ଓ କିଛି ସମୟ ପରେ ଅନ୍ୟ ଶିକ୍ଷକମାନେ ଆସିଥିଲେ । ଶିକ୍ଷକମାନେ ବିଦ୍ୟାଳୟକୁ ଡ୍ରେସ କୋର୍ଡରେ ଆସିବାର ନିୟମ ରହିଥିଲେ ହେଁ ଜଣେ ଶିକ୍ଷକଙ୍କୁ ଛାଡି ଦେଲେ ଅନ୍ୟମାନେ କେହି ଡ୍ରେସ କୋର୍ଡରେ ନଥିଲେ । ପରେ ଶିକ୍ଷକମାନେ ୨ଟି ଶ୍ରେଣୀ ଗୃହରେ ୭ଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠପଢା ଆରମ୍ଭ କରିଥିଲେ । ଗୋଟିଏ ଗୃହରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ୭ଜଣ ପିଲା ବସିଥିବା ବେଳେ ଅନ୍ୟ ଏକ ଗୃହରେ ଷଷ୍ଠରୁ ସପ୍ତମ ପର୍ଯ୍ୟନ୍ତ ୭ଜଣ ପିଲା ବସିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିକ୍ଷକଙ୍କ ଉପସ୍ଥାନ ଖାତାରେ ୨୦ ଓ ୨୧ ତାରିଖରେ ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ତିନି ଜଣ ଶିକ୍ଷକ ଦସ୍ତଖତ କରିଥିବା ବେଳେ ୨୩ ତାରିଖରେ କେବଳ ପ୍ରଧାନ ଶିକ୍ଷୟତ୍ରୀଙ୍କର ଦସ୍ତଖତ ରହିଛି । ବିଦ୍ୟାଳୟରେ ପହଂଚିବା ଓ ଯିବା ସମୟ ୬ ଓ ୯ ରହିଥିବା ଜଣାଯାଇଛି । ଉପସ୍ଥାନ ଖାତାରୁ ଜଣାଯାଉଛି ଯେ ୨୩ ତାରିଖରେ କେବଳ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ଅନ୍ୟମାନେ ଅନୁପସ୍ଥିତ ରହିଥିଲେ । କିନ୍ତୁ ଏକା ସଙ୍ଗରେ ୪ଜଣ କାହିଁକି ଅନୁପସ୍ଥିତ ଥିଲେ ସେ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ କୌଣସି ଉତର ଦେଇ ନଥିଲେ । ଉପସ୍ଥାନ ଖାତାରୁ ଜଣାଯାଉଛି ଯେ ଏହି ବିଦ୍ୟାଳୟକୁ ଶିକ୍ଷକ ନ ଆସି ପରବର୍ତୀ ସମୟରେ ଉପସ୍ଥାନ ଖାତାରେ ଦସ୍ତଖତ କରାଯାଉଛି । ଗୋଟିଏ ପଟେ ବିଦ୍ୟାଳୟକୁ ଶିକ୍ଷକ ଆସୁ ନଥିବା ବେଳେ ଅନ୍ୟପଟେ ସିଆରସିସି କିମ୍ବା ବ୍ଳକ ଶିକ୍ଷାଧିକାରୀଙ୍କ ତରଫରୁ ସଠିକ ଭାବେ ସୁପରଭିଜନ କରାଯାଉ ନାହିଁ । ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅକ୍ଷୟ ବେହେରାଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ