ତଦାରଖ ଅଭାବରୁ ଅଙ୍ଗନୱାର୍ଡି କେନ୍ଦ୍ରରେ ଝୁଲୁଛି ତାଲା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାରଙ୍କ ପକ୍ଷରୁ ଅଙ୍ଗନଓାର୍ଡି କେନ୍ଦ୍ର ଗୁଡିକର ନିର୍ଘଂଟ ସମୟକୁ ପରିବର୍ତନ କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସକାଳ ୬ରୁ ୯ଘଟିକା ପର୍ଯ୍ୟନ୍ତ ଅଙ୍ଗନଓାର୍ଡି କେନ୍ଦ୍ର ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ନାଉଗାଁ ବ୍ଳକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଠିକ୍ ଭାବେ ତଦାରଖ କରାଯାଉନଥିବା ଯୋଗୁ ସଠିକ ସମୟରେ ଅଙ୍ଗନୱାର୍ଡି କେନ୍ଦ୍ର ଗୁଡିକ ଖୋଲୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯାହା ଦେଖିବାକୁ ମିଳିଛି ଡାବର -୧ ଅଙ୍ଗନଓାର୍ଡି କେନ୍ଦ୍ରରେ । ସରକାରଙ୍କ ନିୟମ ଅନୁସାରେ ସକାଳ ୬ଟାରେ କେନ୍ଦ୍ର ଖୋଲାଯିବାର ଥିବା ବେଳେ ସକାଳ ୭ଟା ହୋଇଥିଲେ ମଧ୍ୟ ଏହି ଅଙ୍ଗନଓାର୍ଡି କେନ୍ଦ୍ରରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ବ୍ଳକରେ ୧୧୯ଟି ଅଙ୍ଗନଓାର୍ଡି କେନ୍ଦ୍ର ରହିଥିବା ବେଳେ ଉକ୍ତ କେନ୍ଦ୍ର ଗୁଡିକର ସଠିକ ତଦାରଖ କରାଯିବା ପାଇଁ ୪ଟି କ୍ଳଷ୍ଟର କରାଯାଇଛି । ଗଜରାଜପୁର କ୍ଳଷ୍ଟରରେ ୨୭ଟି କେନ୍ଦ୍ର ରହିଥିବା ବେଳେ ନାଉଗାଁରେ ୩୩ଟି, ଘୋଡାଂଶରେ ୩୧ଟି ଓ କୋରୁଅ କ୍ଳଷ୍ଟରରେ ୨୮ଟି ଅଙ୍ଗନଓାର୍ଡି କେନ୍ଦ୍ର ରହିଛି । ଏହି ଅଙ୍ଗନଓାର୍ଡି କେନ୍ଦ୍ରକୁ ତଦାରଖ କରିବା ପାଇଁ ୪ଜଣ ସୁପରଭାଇଜର ପଦବୀ ରହିଥିବା ବେଳେ ୩ ଜଣ ସୁପରଭାଇଜର ଦାୟିତ୍ୱରେ ରହିଛନ୍ତି । ଡାବର-୧ ଅଙ୍ଗନଓାର୍ଡି କେନ୍ଦ୍ରଟି କୋରୁଅ କ୍ଳଷ୍ଟରରେ ରହିଥିବା ବେଳେ ସୁପରଭାଇଜର ଭାବେ ମଜୁଲତା ବିଶ୍ୱାଳ ରହିଛନ୍ତି । ଅଙ୍ଗନଓାର୍ଡି କେନ୍ଦ୍ର ଗୁଡିକ ଠିକ ଭାବେ ସୁପରଭିଜନ କରାଯାଉ ନଥିବାରୁ ଅନେକ ଅଙ୍ଗନଓାର୍ଡି କେନ୍ଦ୍ରକୁ କର୍ମୀ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି କିଛି କର୍ମୀ ବ୍ଲକ ବାହାରେ ରହି ସୁପରଭାଇଜରଙ୍କୁ ହାତରେ ରଖି ଆବଶ୍ୟକ ଅନୁଯାୟୀ ମିଟିଙ୍ଗ୍‌ରେ ଯୋଗ ଦେଉଥିବା ଚର୍ଚ୍ଚା ହେଉଛି । ଏବିଷୟରେ ସୁପରଭାଇଜର ମଜୁଲତା ବିଶ୍ୱାଳଙ୍କୁ ପଚାରିବାରୁ ଡାବର -୨କେନ୍ଦ୍ରରେ ଓଜନ ଉତ୍ସବ ପାଳନ କରାଯାଉଥିଲା । ଏହି କେନ୍ଦ୍ରର କର୍ମୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଡାବର-୧ କର୍ମୀ ସେଠାରେ ଉପସ୍ଥିତ ଥିଲେ । ଏଠାରେ ପ୍ରଶ୍ନ ଉଠେ ଯଦି ୧ ନମ୍ବର ଅଙ୍ଗନଓାର୍ଡି କର୍ମୀ ୨ନମ୍ବର କେନ୍ଦ୍ରର ଓଜନ ଉତ୍ସବରେ ସହଯୋଗ କରିବା ପାଇଁ ଗଲେ, ୧ ନମ୍ବର ଅଙ୍ଗନଓାର୍ଡି କେନ୍ଦ୍ର ଖୋଲା ରହିବ ନାହିଁ, ଯଦି ଖୋଲା ରହିବ, ତାହା ହେଲେ କେଉଁ କାରଣ ପାଇଁ ୧ନମ୍ବର କେନ୍ଦ୍ରରେ ସକାଳ ୭ଟା ପରେ ମଧ୍ୟ ତାଲା ଝୁଲୁଥିଲା । ତାହା ତଦନ୍ତ ସାପେକ୍ଷ । ଏବିଷୟରେ ସିଡିପିଓ କାଂଚନବାଳା ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗ ଉପରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ