୪ଜଣ ଯୁବକଙ୍କୁ ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସରେ ଜିମା ଦେଲେ
ଯୋଡ଼ା (ଯୁଗାଦ୍ଦ) ବାମେବାରୀ ଥାନା ଅନ୍ତର୍ଗତ ମଲଦା ଅନ୍ଧାରୀ ଖମଣ ଗ୍ରାମରେ ୪ ଜଣ ଯୁବକଙ୍କୁ ଚୋର ସନ୍ଦେହରେ ଧରି ଗ୍ରାମବାସୀ ପୋଲିସରେ ଜିମା ଦେଇଥିବା ଜଣାପଡିଛି । ବୁଧବାର ସନ୍ଧ୍ୟା ସମୟରେ ଝୁମ୍ପୁରା ଅଂଚଳର ୪ ଜଣ ଯୁବକ ଉକ୍ତ ଗ୍ରାମକୁ ଯାଇ ବନ୍ୟ ଜନ୍ତୁ ଏବଂ ପକ୍ଷୀ ପେଚା, ରଣାସାପ, ନାଗମଣି, ବଜ୍ରାକାପ୍ତା ପ୍ରଭୃତି ସଂଗ୍ରହ କରୁଥିବା ବେଳେ ତାଙ୍କୁ ଚୋର ସନ୍ଦେହ କରି ଗ୍ରାମବାସୀମାନେ ଧରି ବାନ୍ଧି ପକାଇଥିଲେ । ସେମାନଙ୍କୁ ମାଡ ମାରିବା ସହିତ ଚପଲ, ଜୋତା ମାଳ, ଭଙ୍ଗା ହାଣ୍ଡି ପିନ୍ଧାଇ ଥିଲେ ଏବଂ ପୋଲିସରେ ଜିମା ଦେଇଥିଲେ । ବାମେବାରୀ ପୋଲିସ ୪ ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ବାମେବାରୀ ଥାନାରେ ଅଟକ ରଖିଛି । କିଛି ଦିନ ପୂର୍ବେ ଉକ୍ତ ଗ୍ରାମରେ ଚୋରି ଘଟଣା ଘଟିଥିଲା ଏହି ଚୋରି ଘଟଣାରେ ଏହି ଯୁବକମାନେ ସଂପୃକ୍ତ ଥିବା ସନ୍ଦେହ କରି ସେମାନଙ୍କୁ କାବୁ କରିଥିଲେ । ଏ ସଂକ୍ରାନ୍ତରେ ବାମେବାରୀ ଥାନା ଓଆଇସି ଅମିତାବ୍ ଦାସଙ୍କୁ ପଚାରିବାରୁ ସେ ୪ ଜଣଙ୍କୁ ଅଟକ ରଖାଯାଇଅଛି । ହେଲେ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ରିପୋର୍ଟ କରାଯାଇନଥିବାରୁ କେଶ୍ ରୁଜୁ କରାଯାଇନାହିଁ । କେଶ୍ ରୁଜୁ ହେଲେ ସେ ଖବରଦାତାଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ । ତେବେ ପ୍ରାରମ୍ଭିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଏହି ଯୁବକମାନେ ଲୁପ୍ତପ୍ରାୟ ବନ୍ୟଜନ୍ତୁ ଓ ପକ୍ଷୀ ଚୋରାଚାଲାଣ କରନ୍ତି । ସୂଚନା ଯୋଗ୍ୟ ଯେ, ଖରାଦିନ ପୂର୍ବରୁ ଯୋଡା, ବାମେବାରୀ, ଝୁମ୍ପୁରା, କନକନା , ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଏହି ବନ୍ୟଜନ୍ତୁ କାରବାର କରୁଥିବା ରାକେଟ୍ ସକ୍ରିୟ ହୋଇଯାଆନ୍ତି । ବନବିଭାଗ ନିଷ୍କ୍ରିୟତା ହେତୁ ବନ୍ୟଜନ୍ତୁ ଚୋରାଚାଲାଣ ଏହି ଅଂଚଳରେ ବଢିବାରେ ଲାଗିଛି । ଏ ସମ୍ପର୍କରେ ବାମେବାରୀ ଫରେଷ୍ଟର ଯତିନ୍ଦ୍ର କୁମାର ସା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି କାରବାର ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି । ଉକ୍ତ ୪ ଜଣଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସରେ ଜିମା ଦେବା ଘଟଣା ତାଙ୍କ ନଜରକୁ ଆସିନାହିଁ । ସେ ପୋଲିସ ଏବଂ ଗ୍ରାମବାସୀଙ୍କ ସହ କଥାବାର୍ତା କରି ଏହି ଘଟଣା ସମ୍ପର୍କରେ ଅଧିକ ତନାଘନା କରିବେ ବୋଲି କହିଥିଲେ


