୫ମାସ ହେଲା ପିଡିଏସ ଚାଉଳ ନପାଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସଙ୍ଗମ, ଚାପଲ ଓ ଡେଙ୍ଗାଜୁଆ ଗ୍ରାମର ଶତାଧିକ ହିତାଧିକାରୀ ୫ମାସ ହେଲା ଚାଉଳ ନପାଇ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ନଭେମ୍ବର ମାସରେ ପ୍ରତି ହିତାଧିକାରୀଙ୍କୁ ତିନିମାସର ଚାଉଳ ଦିଆଯିବାର ବ୍ୟବସ୍ଥା ଥିଲା । କିନ୍ତୁ ଗତ ନଭେମ୍ବରରେ ଚାଉଳ ପାଇଁ ଆସିଥିବା ୧ନଂ ଓ ୨ନଂ ୱାର୍ଡର ଅନେକ ହିତାଧିକାରୀଙ୍କୁ ଚାଉଳ ସରିଯିବାରୁ ଚାଉଳ ଦିଆନଯାଇ ଫେରାଇ ଦିଆଯାଇଥିଲା । ଆସନ୍ତା ଥରକୁ ଏକାବେଳେ ନେବ ବୋଲି କୁହାଯାଇଥିଲା । ଆଜି ସକାଳୁ ଚାଉଳ ଦିଆଯିବ ବୋଲି କୁହାଯାଇ ସେହି ଲୋକମାନଙ୍କୁ ଢ଼େଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ଡକାଯାଇଥିଲା । ଫଳରେ ଲୋକମାନେ ଚାଉଳ ନେବାପାଇଁ ରେସନକାର୍ଡ ଓ ବ୍ୟାଗ, ବସ୍ତା ଧରି ପହଞ୍ଚିଥିଲେ । କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷ କାର୍ଯ୍ୟାଳୟରେ ତାଲା ପକାଇଦେଇ କେଉଁଆଡେ ପଳାଇବାରୁ ଲୋକମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ୫କିଲୋମିଟର ବାଟ ଚାଲିଚାଲି ଆସି ଫେରୁ ଥିବାରୁ ଟିପୁ ମାଝୀ, ପଞ୍ଚୁ ମାଝୀ, ଅନୁପା ମାଝୀ, ଯଦୁ ମାଝୀ, ମିର୍ଜା ମାଝୀ, ବୁଦୁନି ମହାରଣା, ରଣଜିତ ମହାରଣା, ପାନ ମାଝୀ, ମହିମା ମାଝୀ, ସୀତା ମାଝୀ, ବାସନ୍ତୀ ଟୁଡୁ, ରାବଣ ମାଝୀ, ଅନୁପା କିସ୍କୁ, ସୁନାରାମ ମାଝୀଙ୍କ ସମେତ ଶତାଧିକ ହିତାଧିକାରୀ ଗେଟ ସମ୍ମୁଖରେ ଦିନ ୨ଟା ପର୍ଯ୍ୟନ୍ତ ବସିରହିଥିଲେ । ଏ ସମପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଲୋକମାନେ ପୁର୍ବ ୩ମାସର ଚାଉଳ ପାଇନଥିବା ସମ୍ପର୍କରେ ଜାଣି ନାହାନ୍ତି ଓ ତୁରନ୍ତ ସେଠାକୁ ଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏ ସମ୍ପର୍କରେ ଢ଼େଙ୍କା ପଞ୍ଚାୟତର ଜିଆରଏସଙ୍କୁ ପଚାରିବାରେ ଗତ ନଭେମ୍ବର ମାସରେ ଚାଉଳ କମ ଆସିଥିବାରୁ ୪୧ଜଣ ହିତାଧିକାରୀଙ୍କ ପାଇଁ ଚାଉଳ ସଟ ପଡିଥିଲା । ଆସନ୍ତା କାଲିଠାରୁ ସମସ୍ତଙ୍କୁ ଚାଉଳ ଦିଆଯିବ ବୋଲି କହିଛନ୍ତି ।