୫ମ ଦିନରେ ଲକଡାଉନ୍
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲକଡାଉନ୍ ୫ମ ଦିନରେ ପହଞ୍ଚିଲା । ଗଜପତି ଜିଲ୍ଲାକୁ ବିଦେଶରୁ ୫୪ଜଣ ଏବଂ ବାହାର ରାଜ୍ୟରୁ ୩୬୮୦ ଜଣ ଗତକାଲି ଶନିବାର ରାତ୍ର ସୁଦ୍ଧା ଫେରି ଆସିଛନ୍ତି ।ଏହି ସମସ୍ତଙ୍କୁ ସଂଙ୍ଘରୋଧ ଘରେ(ହୋମ୍କରେଣ୍ଟାଇନ୍)ରେ ରଖାଯାିଛି । ଗଜପତି ଜିଲ୍ଲା ପ୍ରଶାସନ,ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ସମସ୍ତଙ୍କର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଖବର ଲେଖିବା ସମୟ ସୁଦ୍ଧା ଗଜପତି ଜିଲ୍ଲାରେ ଜଣେ ହେଲେ କରୋନା ଚିହ୍ନଟ ରୋଗୀ ନ ଥିବା ସୁଚନା ମିଳିଛି । ସମଗ୍ର ଗଜପତି ଜିଲ୍ଲାରେ ସରକାରଙ୍କ ଲକଡାଉନ୍ ଆଇନ ଉଲଂଘନ କରିବା ଅଭିଯୋଗରେ ଗତକାଲି ଶନିବାର ରାତ୍ର ସୁଦ୍ଧା ୨୬ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଧେଶ କ୍ରମେ ସାରା ଜିଲ୍ଲାରେ ଲକଡାଉନ୍କୁ କଡା କଡି ଭାବେ ପାଳନ କରାଯାଇଛି । ସାମାଜିକ ଦୁରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳରେ ୮ଜଣ,ଆର.ଉଦୟଗିରି ବ୍ଲକରେ ୩ଜଣ,ପାରଳାଖେମୁଣ୍ଡି ସହରରେ ୧୪ଜଣ ମୋଟ ୨୨ଜଣଙ୍କୁ ସରକାରଙ୍କ ଲକଡାଉନ୍ ଆଇନ ଉଲଂଘନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଠାରେ ୮ଜଣଙ୍କୁ ଗିରଫ କରାଯାଇଛି । ବାକି ୧୭ଜଣଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଦିଆଯାଇଛି । ଏହାଛଡା କରୋନା ନେଇ ମିଥ୍ୟା ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ମୋହନା ବ୍ଲକର ମଳସପଦର ଗ୍ରାମର ସୁର୍ଯ୍ୟ ପ୍ରଧାନଙ୍କୁ ଗିରଫ କରାଯାଇଛି । ସମଗ୍ର ଜିଲ୍ଲାରେ ଆଇନ ଉଲଂଘନ କରିବା ଅଭିଯୋଗରେ ୨୬ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରୁ ଗତକାଲି ରାତ୍ର ସୁଦ୍ଧା ୯ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପାରଳା ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପ୍ରତ୍ୟେକ ଗଳି କନ୍ଦିରେ ପଇଁତରାକୁ ବେଶ କଡାକଡି କରିଛନ୍ତି । ସେହିପରି ମୋଟ ୭ଗୋଟି ବ୍ଲକ ଯଥା,ମୋହନା,ଆର.ଉଦୟଗିରି,ନୁଆଗଡ,ଗୋଷାଣୀ,ଗୁମ୍ମା,ରାୟଗଡ,କାଶୀନଗର ଆଦି ଅଞ୍ଚଳରେ ପୋଲିସ ପଇଁତରା ବ୍ୟବସ୍ଥାକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି । ଗଜପତିର ଆନ୍ଧ୍ର ସୀମାନ୍ତ ୫ଗୋଟି ସ୍ଥାନରେ ଥିବା ଅନ୍ତରାଜ୍ୟ ସୀମାକୁ ସିଲ୍ କରାଯାଇଛି । ଓଡିଶାରୁ ଆନ୍ଧ୍ର କିମ୍ବା ଆନ୍ଧ୍ରରୁ ଓଡିଶା କାହାରିକୁ ଛଡା ଯାଉନାହିଁ । ଆନ୍ଧ୍ର ସୀମାନ୍ତରେ ୨୪ଘଣ୍ଟିଆ ପୋଲିସ ମୁତୟନ କରାଯାଇଛି । ଜିଲ୍ଲା ସାରା ଲକଡାଉନ୍ ଯୋଗୁଁ ଚାରିଆଡେ ଜନ ଶୁନ୍ୟ ଦେଖାଯାଉଛି ।


