୫-ଟି ଉପରେ ଜିଲାସ୍ତରୀୟ ବୈଠକ:କର୍ମଚାରୀ ଙ୍କ ଦକ୍ଷତା ଆକଳନ ପାଇଁ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ଟି( ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‍ ୱାର୍କ, ଟାଇମ୍‍, ଟ୍ରାନ୍ସଫର୍ମେସନ୍‍)ର ସଫଳ କାର୍ଯ୍ୟାନ୍ୱୟନ କରି ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଶତ ପ୍ରତିଶତ ଆଶା ପ୍ରକଟ କରିପାରିଥିବା ସରକାରୀ କର୍ମଚାରୀମାନଙ୍କୁ ସାଧାରଣ ନିୟମ ବହିର୍ଭୂତ ପୁରସ୍କାର ପଦୋନ୍ନତି, ପ୍ରୋତ୍ସାହନ ପୁରସ୍କାର ଆଦି ପ୍ରଦାନ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି। ସେହିପରି ସଫଳତାର ସହିତ ନିରନ୍ତର ଭାବେ ୩୦ ବର୍ଷ ସେବା ସମାପ୍ତ କରିଥିବା କିମ୍ବା ୫୦ ବର୍ଷ ବୟସ୍କ ହୋଇଥିବା ଏବଂ ୫୫ ବର୍ଷ ବୟସ ହାସଲ କରିବା ପରେ ସଚ୍ଚୋଟତାର ଅଭାବ,ମାନସିକ ବା ଶାରିରୀକ ଅକ୍ଷମତା,ନିମ୍ନ ପଦବୀରେ ସନ୍ତୋଷ ଭାବେ କାର୍ଯ୍ୟ କରିଥିଲେହେଁ ପଦୋନ୍ନତି ପ୍ରାପ୍ତ ପଦବୀରେ ଆବଶ୍ୟକୀୟ ଦକ୍ଷତାର ଅଭାବ, ଜନସେବା ପ୍ରତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସଂପୃକ୍ତ କର୍ମଚାରୀଙ୍କ ଆଚାର ବ୍ୟବହାର କ୍ଷତିକାରକ କିମ୍ବା ବିପଦ ସୃଷ୍ଟିକାରୀ ଉପଲବ୍ଧ ହେଉଥିଲେ କିମ୍ବା ବିଗତ ୫ ବର୍ଷର ଚରିତ୍ର ପଞ୍ଜିକାରେ ପ୍ରତିକୁଳ ମନ୍ତବ୍ୟ ଆଦି ମୁଖ୍ୟ କାରଣ ପାଇଁ ଜଣେ କର୍ମଚାରୀଙ୍କୁ ସାଧାରଣ ଅବସର ପୂର୍ବରୁ ଅବସର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସମଗ୍ର ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ କରି, ଯୋଗ୍ୟ ବା ଅଯୋଗ୍ୟ କର୍ମଚାରୀଙ୍କ ନାମ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡା. ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଉଲ୍ଲେଖନୀୟ ସରକାରୀ ସେବା ପାଇଁ ପୁର୍ବରୁ ପୁରସ୍କୃତ, ସମ୍ମାନୀତ ବା ପ୍ରଶଂସିତ କର୍ମଚାରୀଙ୍କ ନାମ ଉପଯୁକ୍ତ ପ୍ରମାଣପତ୍ର ସହିତ ଚଳିତ ନଭେମ୍ବର ୩୦ ତାରିଖ ସୁଦ୍ଧା ସୁପାରିଶ କରିବାକୁ ଉପସ୍ଥିତ କାର୍ଯ୍ୟାଳୟ/ପ୍ରତିଷ୍ଠାନ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ତାଙ୍କ ପ୍ରାରମ୍ଭିକ ଭାଷଣରେ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ କନ୍ଧମାଳ ଉପ-ଜିଲ୍ଲାପାଳ ସୁରେଶ କୁମାର ନନ୍ଦ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସଙ୍କ ସମେତ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ୍‍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ