୫ ଦଫା ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲାରେ ଲଘୁଚାପ ବର୍ଷା ଜନିତ କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀ ଓ ଆଦିବାସୀଙ୍କୁ ତୁରନ୍ତ ସହାୟତା ଓ ଫସଲର ସଠିକ୍ ଆକଳନ କରି କ୍ଷତିପୁରଣ ଦିଆଯିବା, କ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ କରାଯିବା ଏବଂ ଆଗାମୀ ଫସଲ ପାଇଁ ସୁଧମୁକ୍ତ ଋଣ ପ୍ରଦାନ କରାଯିବା, ଆଗାମୀ ରବି ଫସଲ ନିମନ୍ତେ ମାଗଣାରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ଔଷଧ ଇତ୍ୟାଦି ପ୍ରଦାନ କରାଯିବା, ମଣ୍ଡିରେ ବିକ୍ରୟ ବେଳେ ଧାନର ଧାର୍ଯ୍ୟ ମାନଦଣ୍ଡକୁ କୋହଳ କରାଯିବା ଓ ଚାଷି ଓ ଭାଗ ଚାଷି ଠାରୁ ସମସ୍ତ ଧାନ ସରକାରୀ ଦରରେ କିଣିବାର ବ୍ୟବସ୍ଥା କରାଯିବା, କୃଷିବୀମା କରିଥିବା ଚାଷୀଙ୍କର ଫସଲ କ୍ଷତିର ଆକଳନ କରି କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବା ସମେତ ୫ ଦଫା ଦାବୀ ନେଇ ସୋମବାର ଗଞ୍ଜାମ ଜିଲ୍ଲା ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି । ସୂଚନା ଥାଉ କି, ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷି ଓ ଭାଗଚାଷି ମାନେ ବହୁ ଫସଲ କ୍ଷତିର ସମ୍ମୁଖିନ ହୋଇଛନ୍ତି । କିନ୍ତୁ ଚଳିତ ବର୍ଷ ବହୁ ବିଳମ୍ବରେ ବର୍ଷା ହେବା ଯୋଗୁଁ ତଳି ପୋଡି ଚାଷୀଙ୍କ ଅନେକ ଜମି ଚାଷ ହୋଇପାରିନଥିବା ବେଳେ ବର୍ତ୍ତମାନ ଅଦିନିଆ ଲଗାଣ ବର୍ଷା ଚାଷିଙ୍କ ଧାନ, ମକ୍କା, ବାଇଗଣ, ମରିଚ, କାନ୍ଦୁଲ ଓ ପନିପରିବା ଆଦି ଫସଲ ସମ୍ପୁର୍ଣ୍ଣ ଉଜୁଡି ଯାଇଛି । ଭାଗଚାଷୀ ମାନେ ସବୁଥର ଭଳି ଏଥର ମଧ୍ୟ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଣୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଉକ୍ତ ଦାବି ଗୁଡିକ ପୂରଣ କରିବା ପାଇଁ ଏହି ଦାବିପତ୍ରରେ ଜଣାଇଛନ୍ତି । ନଚେତ୍ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କୃଷକ ସଭାର ନେତା ନୀଳକଣ୍ଠ ଦାଶ, ସଂଯୁକ୍ତ କିଶାନ ମୋର୍ଚ୍ଚାର ଆବାହକ ବସନ୍ତ ନନ୍ଦ, ଶଙ୍କର ସାହୁ, ଚାଷୀ ନେତା ଏସ୍. କ୍ରିଷ୍ଣା ରେଡ୍ଡି, ରାଜେନ୍ଦ୍ର ନାହାକ, ପି. ହରିକୃଷ୍ଣ ରେଡ୍ଡି, ଗୋପାଳ ପାଣିଗ୍ରାହୀ, ପ୍ରତାପ କୁମାର ନାୟକ, ଲକ୍ଷ୍ମୀ ନୃସିଂହ ରଥ, ସିମାଞ୍ଚଳ ନାହାକ, ନାରାୟଣ ସାହୁ, , ଅବନୀ ଗୟାଙ୍କ ସମେତ ବିଭିନ୍ନ ଚାଷି ସଙ୍ଗଠନର ଚାଷୀ ନେତା ମାନେ ଉପସ୍ଥିତ ଥିଲେ ।


