୬ରୁ ବିଶ୍ୱହିନ୍ଦୁ ପରିଷଦର ‘ହିତ ଚିନ୍ତକ’ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୦୨୪ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠାର ୬୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ହିତଚିନ୍ତକ ଅଭିଯାନ’ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ପୂର୍ବପ୍ରାନ୍ତ ବାଲେଶ୍ୱର ଜିଲା କମିଟି ପକ୍ଷରୁ ଆସନ୍ତା ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାବ୍ୟାପୀ ହିତଚିନ୍ତକ ଅଭିଯାନ ଜାରି ରହିବ ବୋଲି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ପ୍ରତ୍ୟେକ ବର୍ଗ ସହ ଯୋଡ଼ି ହୋଇ ସମୃଦ୍ଧ ହିନ୍ଦୁ ସମାଜ ନିର୍ମାଣ ଓ ରାଷ୍ଟ୍ର ହିତ କାର୍ଯ୍ୟରେ ସାମିଲ ହେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହେଉଥିବା ସେ କହିଛନ୍ତି । ପରିଷଦର କାର୍ଯ୍ୟକର୍ତ୍ତାମାନେ ଛୋଟ ଛୋଟ ଦଳ ହୋଇ ଦେଶର ଦେଢ଼ଲକ୍ଷ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ସମ୍ପର୍କ ଯୋଡ଼ିବେ । କେବଳ ସାଧାରଣ ବର୍ଗ ନୁହେଁ ଏହି ଦଳ ଡାକ୍ତର, ଇଂଜିନିୟର, ଜାର୍ଟାର୍ଡ଼ ଆକାଉଣ୍ଟାଣ୍ଟ, ଆଇନଜୀବୀ, କଳାକାର, କ୍ରୀଡ଼ାବିତଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବ । ସେବାକାର୍ଯ୍ୟ ମାଧ୍ୟମରେ ଅଧିକରୁ ଅଧିକ ଅବହେଳିତଙ୍କୁ ଯୋଡ଼ିବା, ଯୁବପିଢ଼ିଙ୍କ ମଧ୍ୟରେ ସନାତନ ସଂସ୍କୃତି ସଂଚାର କରିବା, ଗୋ-ବଂଶ ରକ୍ଷା କରିବା, ସାମାଜିକ ସମରସତା, ନାରୀ ସଶକ୍ତୀକରଣ, କୁଟୁମ୍ବ ପ୍ରବୋଧନ, ପରିବେଶ ସଂରକ୍ଷଣ, ମଠ ମନ୍ଦିରର ସୁବ୍ୟବସ୍ଥା ସହ ସମାଜକୁ ସଂଗଠିତ କରି ସେବାକାର୍ଯ୍ୟକୁ ଆଗେଇ ନେବା ଏହି ଅଭିଯାନର ମୂଳଲକ୍ଷ୍ୟ ବୋଲି ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଏହି ଅଭଯାନକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷ ଭଗବାନ ଦାସ ଖଣ୍ଡେଲୱାଲ, ଜିଲା ସଭାପତି ଡ.ସୁଧାଂଶୁ ପରିଡ଼ା, ଜିଲା ସମ୍ପାଦକ ଦେବବ୍ରତ କର, ଜିଲା ହିତଚିନ୍ତକ ପ୍ରଭାରୀ ସିପ୍ରା ରାଉତ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ