୬୪ବର୍ଷରେ ବି ମିଳୁନି ଭତା ଅଭିଯୋଗ କଲେ ବି ମିଳୁନି ସୁଫଳ

ନାଉଗାଁ, (ଓ୍ବାଇଏନ୍ଏସ୍):ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ବିଧବା ଆଦିଙ୍କୁ ଭତା ପ୍ରଦାନ କରାଯାଉଛି । କିନ୍ତୁ ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତସ୍ଥିତ ଅବଦଲପୁର ଗ୍ରାମର ସିଦ୍ଧେଶ୍ୱର ମହାନ୍ତିଙ୍କୁ ୬୪ବର୍ଷ ହୋଇଥିଲେ ମଧ୍ୟ ଭତା ପାଇବାରୁ ବଂଚିତ ଥିବା ଅଭିଯୋଗ ହେଉଛି । ରାଜନୈତିକ ଚାପ ହେଉ ବା ଅନ୍ୟ କିଛି କାରଣ ନେଇ ତାଙ୍କୁ ଭତା ପ୍ରଦାନ କରାଯାଉ ନଥିବା ସିଦ୍ଧେଶ୍ୱର ପ୍ରକାଶ କରିଛନ୍ତି । ସିଦ୍ଧେଶ୍ୱର ଜଣେ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକ ହୋଇଥିବା ବେଳେ କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରନ୍ତି । ଭତା ପାଇଁ ବାରମ୍ବାର ଭତା ଫର୍ମ ଆଣି ଆବେଦନ କରୁଥିଲେ ମଧ୍ୟ ତାଙ୍କ ଫର୍ମ କାର୍ଯ୍ୟାଳୟରୁ କେଉଁ ଆଡେ ଯାଉଛି ସେ ଜାଣି ପାରୁ ନାହାନ୍ତି । ଫର୍ମ ସହ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ସେ ଦାଖଲ କରୁଛନ୍ତି । ହେଲେ ଭତା ମିଳୁ ନଥିବା ସେ ପ୍ରକାଶ କରିଛନ୍ତି । ଭତା ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହେଉଛନ୍ତି ସିଦ୍ଧେଶ୍ୱର । ସିଦ୍ଧେଶ୍ୱରଙ୍କ ଉପରେ ପରିବାରର ୫ ପ୍ରାଣୀ ନିର୍ଭର କରୁଥିବା ବେଳେ ଭତା ଗଣ୍ଡାକ ପାଇଲେ ନିଜର ଔଷଧ ପତ୍ର ଖର୍ଚ୍ଚ ଚଳି ଯାଆନ୍ତା ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ ଆବେଦନ ଫର୍ମଙ୍କୁ ବିଚାରକୁ ନେଇ ତାଙ୍କୁ ଭତା ପ୍ରଦାନ କରିବା ପାଇଁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ଦେବାଶୀଷ ସ୍ୱାଇଁଙ୍କୁ ପଚାରିବାରୁ ଏବିଷୟରେ ମୁଁ ଜାଣି ନାହିଁ । ତାଙ୍କ ଆବେଦନ ଫର୍ମ କାର୍ଯ୍ୟାଳୟରେ ଥିବ ତାହେଲେ ତଦନ୍ତ କରାଯାଇ ଭତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ