୬୫ରୁ ଅଧିକ ବୟସ୍କ ଆଇନଜୀବୀଙ୍କୁ କୋର୍ଟ ମନା

କଟକ: ୬୫ ବର୍ଷ ବୟସରୁ ଅଧିକ ବୟସ୍କ ଆଇନଜୀବୀଙ୍କୁ ବର୍ତ୍ତମାନ ସମୟରେ କୋର୍ଟ ଆସିବାକୁ ମନା କରିଛନ୍ତି ହାଇକୋର୍ଟ । ଏହି ଆଇନଜୀବୀମାନେ ଯଦି ଚାହିଁବେ ତା ହେଲେ ତାଙ୍କ ଘରୁ ରହି ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କର ମାମଲା ପରିଚାଳନା କରିପାରିବେ । ଏଥିପାଇଁ ସେଣ୍ଟ୍ରାଲ ପ୍ରୋଜେକ୍ଟ କୋର୍ଡିନେଟର ସମ୍ପୃକ୍ତ ଆଇନଜୀବୀଙ୍କୁ ଲିଙ୍କ ପ୍ରଦାନ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏବଂ ହାଇକୋର୍ଟ ବାର ଆସୋସିଏସନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିଦେ୍ର୍ଧଶନାନାମରେ କୁହାଯାଇଛି ଯେ, ଯେଉଁ ଆଇନଜୀବୀମାନଙ୍କର ବୟସ ୬୫ ରୁ ଊର୍ଦ୍ଧ୍ବ ସେମାନଙ୍କୁ ଅଦାଲତକୁ ନ ଆସିବା ଲାଗି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଅନୁରୋଧ କରାଯିବ । ଯଦି ଏହି ବୟସର କୌଣସି ଆଇନଜୀବୀ କିଛି ମାମଲା ପରିଚାଳନା କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ସେଣ୍ଟ୍ରାଲ ପ୍ରୋଜେକ୍ଟ କୋର୍ଡିନେଟର ପକ୍ଷରୁ ଏକ ଲିଙ୍କ ପ୍ରଦାନ କରାଯିବ । ଯେଉଁ ଲିଙ୍କ ସାହାଯ୍ୟରେ ସେ ତାଙ୍କ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ଯୁକ୍ତି ଉପସ୍ଥାପନ କରିପାରିବେ । ସେହିପରି ଯଦି କୌଣସି ଆଇନଜୀବୀଙ୍କର କାର୍ଯ୍ୟ ଶେଷ ହୋଇଯାଉଛି ସେମାନେ କୋର୍ଟ ପରିସରରେ ଉପସ୍ଥିତ ନ ରହିବାକୁ ମଧ୍ୟ କୁହାଯାଇଛି ।
ଆହୁରି ମଧ୍ୟ ଆଇନଜୀବୀମାନେ ଭିଡିଓ କନଫରେନ୍ସିଂ ହଲରେ ଉପସ୍ଥିତ ରହିଲା ବେଳେ ସାମାଜିକ ଦୂରତାକୁ ମାନିବା ସହ ଅତି ବେଶୀରେ ଭିଡିଓ କନଫରେନ୍ସିଂ ହଲରେ ୪ ଓ ୫ ଜଣ ସଦସ୍ୟ ଯେପରି ଉପସ୍ଥିତ ରୁହନ୍ତି ସେ ନେଇ ହାଇକୋର୍ଟ ବାର ଆସୋସିଏସନ ଏହାର ସଦସ୍ୟମାନଙ୍କୁ ଅନୁରୋଧ କରିବ । କୋର୍ଟର ଯେଉଁ ସ୍ଥାନରେ ୫ ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ହେବାର ସମ୍ଭାବନା ରହିଛି ସେହି ସବୁ ସ୍ଥାନକୁ ବାରମ୍ବାର ବିଶୋଧନ ଯେପରି କରାଯିବ ତାହାକୁ ସହକାରୀ ରେଜିଷ୍ଟ୍ରାର ସୁନିଶ୍ଚିତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ