୬୫ ବର୍ଷରେ ବି ଖବରକାଗଜ ବିକି ସ୍ୱାବଲମ୍ବୀ ଶ୍ରବଣଶକ୍ତିବାଧିତ ପ୍ରଫୁଲ ବୟସର ସାୟହ୍ନରେ ବି ଥକିନାହାନ୍ତି

ଆସିକା, (ୱାଇଏନ୍‍ଏସ୍‍):ବୟସ ୬୫ ଟପିଲାଣି । ତଥାପି ସେ ଥକିନାହାନ୍ତି । ଆଜି ବି ଖବରକାଗଜ ବିକ୍ରିକୁ ନିଜର ଏକ ପ୍ରମୁଖ ପେଷା ଭାବେ ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଶ୍ରବଣଶକ୍ତି ବାଧିତ ପ୍ରଫୁଲ କୁମାର ଚୌଧୁରୀ । ଯାହାକି ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ସହ ସେ ନିଜେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୩୨ ବର୍ଷ ହେଲା ଅନେକ ଝଡଝଞ୍ଜା ସତ୍ତ୍ୱେ ଶ୍ରବଣଶକ୍ତି ବାଧିତ ଖବରକାଗଜ ବିତରକ ପ୍ରଫୁଲ କୁମାର ଚୌଧୁରୀ ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ନିକଟରେ ତାଜା ଖବର ପହଞ୍ଚାଇବା ଦାୟିତ୍ୱକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର କଲେଜଛକ ଅଞ୍ଚଳରେ ରହୁଥିବା ଶ୍ରବଣଶକ୍ତି ବାଧିତ ପ୍ରଫୁଲ କୁମାର ଚୌଧୁରୀ ଦୀର୍ଘ ୩୨ ବର୍ଷ ହେଲା ଖବରକାଗଜ ବିକ୍ରୀକୁ ନିଜ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି । ପ୍ରତ୍ୟେକ ଦିନ ସକାଳୁ ଆସିକା ପୁରୁଣା ବସଷ୍ଟାଣ୍ଡରେ ଯେତେବେଳେ ଖବରକାଗଜ ବିତରକ ମାନଙ୍କ ଭିଡ ଲାଗେ ସେତେବେଳେ ଶ୍ରବଣଶକ୍ତି ବାଧିତ ପ୍ରଫୁଲ କୁମାର ଚୌଧୁରୀ ସେମାନଙ୍କ ମଧ୍ୟରେ ସ୍ପଷ୍ଟ ବାରି ହୋଇପଡନ୍ତି । ଆସିକା ଅଞ୍ଚଳର କେତେକ ଖବରକାଗଜ ବିତରକଙ୍କ ସହ କିଛି ସମୟ ଲାଗି ବିଭିନ୍ନ ବିଷୟ ଉପରେ ଆଲୋଚନା ଓ ଥଟାମଜା ହେବା ପରେ ଖରାବର୍ଷା ଓ ଶୀତକାକରକୁ ତିଳେମାତ୍ର ଖାତିର ନକରି ସାଇକେଲରେ ବୁଲି ଘରକୁଘର ଖବରକାଗଜ ବିତରଣ କରୁଥିବା ଦେଖିବାକୁ ମିଳୁଛି । ଶ୍ରବଣଶକ୍ତି ବାଧିତ ଖବରକାଗଜ ବିତରକ ପ୍ରଫୁଲ କୁମାର ଚୌଧୁରୀ ଦୈନିକ ବିଭିନ୍ନ ଖବରକାଗଜ ଧରି ସହରର ଗଳିକନ୍ଦିକୁ ବୁଲିବା ସହ ଗ୍ରାହକମାନଙ୍କୁ ଖବରକାଗଜ ବାଣ୍ଟି ଭାବ ବିନିମୟ କରୁଥିବା ଦେଖିବାକୁ ମିଳୁଛି । ସାମାଜିକ ଚଳଣିରେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ରୋଜଗାରର ପନ୍ଥା ରହିଥିଲା ବେଳେ ମଣିଷ ନିଜ କାର୍ଯ୍ୟଦକ୍ଷତା ଆଧାରରେ ତାହା ସ୍ଥିର କରିଥାଏ ଓ ତାକୁ ଭିତ୍ତି କରି ସେ ନିଜର କର୍ମକ୍ଷେତ୍ରରେ ଆଗକୁ ବଢିଥାଏ । ଆସିକା ଅଞ୍ଚଳରେ ଖବରକାଗଜ ବିତରକ ଭାବେ ଶ୍ରବଣଶକ୍ତି ବାଧିତ ପ୍ରଫୁଲ କୁମାର ଚୌଧୁରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଖବରକାଗଜ ବ୍ୟବସାୟ କରି ସେ ବେଶ୍‍ ଖୁସି ଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ