୬ ବର୍ଷିୟା ନିୟମ ଅନୁସାରେ ୨୦୧୪ ମସିହା ସୁଦ୍ଧା ସମସ୍ତଙ୍କୁ ସରକାରୀ ଚାକିରିରେ ନିୟମିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସରକାରଙ୍କ ୬ ବର୍ଷିୟା ନିୟମ ଅନୁସାରେ ୨୦୧୪ ମସିହା ସୁଦ୍ଧା ସମସ୍ତଙ୍କୁ ସରକାରୀ ଚାକିରିରେ ନିୟମିତ କରିବା କଥା, ମାତ୍ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ୨୦୧୪ରେ ଏକ ବୈଠକ ଡାକି ନିୟମିତ ନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଚାକିରିରେ ନିୟମିତ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଦେଶକୁ ବିଭାଗ କାର୍ଯ୍ୟକାରୀ ନ କରାଇ ଓଲଟା କେସ୍ କରିବା ପାଇଁ ଉଦ୍ୟମ କରାଯାଉଛି । ଏକଥା ନିଷ୍ପେସିତ କର୍ମଚାରୀମାନଙ୍କ ପାଇଁ ଘୋର ଅନ୍ୟାୟ ଏବଂ ସମସ୍ତେ ମାନସିକ, ଶାରୀରିକ, ଆର୍ଥିକ ଶୋଷଣ ଓ ନିର୍ଯ୍ୟାତନାରେ ଜର୍ଜରିତ । ସରକାରଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସେବାରେ ନିଜର ପ୍ରାଇମ ଟାଇମ ଦୀର୍ଘ ୨୦-୨୫ ବର୍ଷ ଧରି କାର୍ଯ୍ୟ କରିବା ପରେ ପରିବାରକୁ ଧ୍ୱଂସ ମୁହଁକୁ ଠେଲିଦେବା ଦୁଃଖର ବିଷୟ । ୨୦୧୪ରୁ ୨୦୨୩ ମସିହା ମଧ୍ୟରେ ଶହ ଶହ ଥର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଆପତ୍ତି ଅଭିଯୋଗମାନ ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ୨୦୧୪ ମସିହାରୁ ୨୦୨୧ ମସିହା ମଧ୍ୟରେ ରେଗୁଲାର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସିଡିଏମ୍ମାନଙ୍କୁ ରିପୋର୍ଟ / ପ୍ରପୋଜାଲ ମାଗିଥିଲେ । ଏକଥା ମଧ୍ୟ ରାଜ୍ୟ ବିଧାନସଭାରେ ଉଠିଥିଲା, ମାତ୍ର ସମସ୍ତ ରିପୋର୍ଟକୁ ଚପାଇ ଦିଆଗଲା । ୨୦୧୯ ମସିହାରେ ସ୍ୱାସ୍ଥ୍ୟ ବିଭାଗ ଏନ୍.ଏଚ୍.ଏମ୍. ସ୍କିମ୍ ସୋସାଇଟି ଏବଂ ମେଡ଼ିକାଲ କର୍ପୋରେସନରେ ଚୁକ୍ତିଭିତ୍ତିକ ପଦବୀରେ ନିଯୁକ୍ତି ପାଇଥିବା ହଜାର ହଜାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚାକିରିକୁ ନିୟମିତ କରାଗଲା । ଏହି କର୍ମଚାରୀମାନେ ସ୍ୱାସ୍ଥ୍ୟବିଭାଗର ନିୟମିତ ଅନୁମୋଦିତ ଖାଲି ପଦବୀରେ ନିଯୁକ୍ତି ପାଇନଥିଲେ । ସରକାର ଆଉଟସୋର୍ସିଂ ୱାର୍କର, ଡି.ଏଲ୍.ଆର, ଏନ୍.ଏମ୍.ଆର, କାଜୁଆଲ ୱାର୍କରଙ୍କୁ ବିନା ବିଜ୍ଞାପନ ଏବଂ ଓ.ଆର.ଭି ଆକ୍ଟ ନଥାଇ ଅନେକଙ୍କୁ ଚାକିରିରେ ନିୟମିତ କରିସାରିଛନ୍ତି । କିନ୍ତୁ ମାତ୍ର ଶହେ ଚାରିଜଣ (୧୦୩) କର୍ମଚାରୀଙ୍କୁ ବିଭିନ୍ନ ଆଳ ଦେଖାଇ କାହିଁକି ନିଯୁକ୍ତି ଦିଆଯାଉ ନାହିଁ ତାହା ବୁଝା ପଡୁନାହିଁ । ଉକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ସର୍ବାଧିକ ରାଜ୍ୟର ବିଭିନ୍ନ କୁଷ୍ଠ କଲୋନୀର ନିଜେ କୁଷ୍ଠମୁକ୍ତ ବ୍ୟକ୍ତି ଏବଂ ଏମାନଙ୍କର ପିତାମାତା ମଧ୍ୟ କୁଷ୍ଠ ଭିନ୍ନକ୍ଷମରେ ପୀଡ଼ିତ । ଏହା ବ୍ୟତୀତ ସରକାର ୨୦୧୬ ଓ ୨୦୧୭ ମସିହାରେ ଜି.ଏ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ୩୪ଜଣ ଏବଂ ୧୦୭ ଅସ୍ଥାୟୀ କର୍ମଚାରୀମାନଙ୍କୁ ସରକାରଙ୍କର ଗ୍ରୁପ୍ ‘ସି’ ଓ ‘ଡି’ ୁଲ୍ ୨୦୧୩ ଓ ୨୦୧୪ ମସିହାର ଆଦେଶ ଅନୁସାରେ ଚାକିରିରେ ନିୟମିତ କରିଛନ୍ତି ଯେଉଁମାନଙ୍କର ଆଡ଼ଭରଟାଇଜମେଣ୍ଟ ଏବଂ ଓଆରଭି ଆକ୍ଟ ନଥିଲା । ଦେଖିବାକୁ ଗଲେ ସ୍ୱାସ୍ଥ୍ୟ କର୍ମଚାରୀମାନେ ସରକାରଙ୍କ ନିୟମିତ ଖାଲିଥିବା ପଦବୀରେ ନିଯୁକ୍ତି ପାଇଅଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକିରିରେ ନିୟମିତ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କଲେ ଅତ୍ୟନ୍ତ ଦୁଃଖରେ ଥିବା କର୍ମଚାରୀମାନେ ଉପକୃତ ହେବେ । ଏହି ସାମ୍ବାଦିକ ସମ୍ମିଳନୀରେ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସଭାପତି ଶ୍ରୀ ପ୍ରଭାସ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ମଲ୍ଲ, ରାଜ୍ୟ କୁଷ୍ଠ ସଂଗଠନ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ସମ୍ପାଦକ ଶ୍ରୀ ପ୍ରଭାକର ସାହୁ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ସଭାପତି ଶ୍ରୀ ପୂର୍ଣ୍ଣ ରାଉତ, ସାମାଜିକ କର୍ମୀ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ, ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ସଂଘର ସଭାପତି ଶ୍ରୀମତୀ ଶ୍ରଦ୍ଧାମଣି ମୁଦୁଲି, ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ର ମହାରଣା, ଶ୍ରୀ କୃଷ୍ଣଚନ୍ଦ୍ର ବରାଳ, ବ୍ରଜଗୋପାଳ ଦତ୍ତ, ମଞ୍ଜୁଲତା ଦାସ, କୁନି ଦେଈ, ସଂଯୁକ୍ତା ପ୍ରଧାନ, ହରିହର ନାୟକ, ପ୍ରହଲ୍ଲାଦ ଗିରି ଓ ଜି. ଦୁର୍ଗାପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଭାପତି ଶ୍ରୀ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।