୭୧ଦିନ ହେଲା ଚାଲିଛି ହୋମଯଜ୍ଞ ଆଧ୍ୟାତ୍ମିକ ବିଶ୍ୱାସରେ କରୋନାକୁ ହରେଇବା ପ୍ରୟାସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣଜନିତ ଭୟକୁ ଦୂର କରିବା ସମଗ୍ର ବିଶ୍ୱପାଇଁ ଏକ ବିଷମୟ ପରିସ୍ଥିତି ସୃଷ୍ଟି କରିଛି । ମାରାତ୍ମକ ଭୂତାଣୁ କୋଭିଡ଼-୧୯ ଦୁର୍ବଳ ହେବାର ନାଁ ହିଁ ଧରୁନି । ସମଗ୍ର ରାଷ୍ଟ୍ରକୁ ତାଲାବନ୍ଦୀ କରି ରଖିଛି ଏହି ଶକ୍ତିଶାଳୀ ଭୂତାଣୁ । ଚିନ୍ତାର ବିଷୟ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭ୍ୟାକ୍ସିନ୍ ମଧ୍ୟ ଏହାର ଉପଚାର ପାଇଁ ଖୋଜା ଯାଇପାରି ନାହିଁ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ କିଛି ସୁଫଳ ଦେଇପାରି ନାହାନ୍ତି । ଭୟଙ୍କର ଭୂତାଣୁ କରୋନକୁ ଶକ୍ତିହୀନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ସଚେତନତା, ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ ଏହାର ବୃଦ୍ଧିକୁ ରୋକିବା ପାଇଁ । ଏଭଳି ସମୟରେ ନା କେବଳ ଘରେ ରହି, ମାତ୍ର ଘରେ ହୋମ ଯଜ୍ଞର ଆୟୋଜନ କରି ଦୀର୍ଘ ୭୧ ଦିନ ହେଲା ପରିବେଶକୁ ପବିତ୍ର ଓ ଭୂତାଣୁମୁକ୍ତ କରିବାର ଅଭିନବ ପ୍ରୟାସ କରିଆସୁଛନ୍ତି ଭୁବନେଶ୍ୱର ଲୁମ୍ବିନୀ ବିହାରସ୍ଥିତ ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା । ବିଜ୍ଞାନ, ଟେକ୍ନୋଲୋଜି ଯେଉଁଠି ହାରିଯାଇଛି, ସେଇଠି ନିଜର ଗଭୀର ଆତ୍ମବିଶ୍ୱାସ ଏବଂ ପ୍ରୟାସ ଦ୍ୱାରା କରୋନା କବଳରୁ ପୃଥିବୀକୁ ମୁକ୍ତ କରିବାର ତାଙ୍କର ଏହି ଚେଷ୍ଟା ନିଶ୍ଚୟ ସ୍ୱାଗତଯୋଗ୍ୟ । ବିଶ୍ୱବାସୀଙ୍କ ରକ୍ଷା ପାଇଁ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଧୈର୍ଯ୍ୟ ନ ହରାଇ ଭଗବାନଙ୍କ ନିକଟରେ ପୂଜା, ହୋମ ଓ ପ୍ରାର୍ଥନା ଦ୍ୱାରା ଏ ଭୟଙ୍କର ବ୍ୟାଧି ଦୁର୍ବଳ ହେବ ବୋଲି ରହିଛି ତାଙ୍କର ଅଗାଧ ବିଶ୍ୱାସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଜନତା କର୍ଫୁ ଜାରି ହେବାଦିନଠାରୁ ଆଜିଯାଏଁ ସପରିବାର ପ୍ରତ୍ୟହ ସକାଳ ୮ଟାରୁ ୧୦ଟା ଯାଏ, ସେ ଏ ହୋମଯଜ୍ଞ କରୁଛନ୍ତି । ଏହା ସହିତ ସେ ଜରୁରୀକାଳୀନ ସେବାରେ ନିୟୋଜିତ ସ୍ୱାସ୍ଥ୍ୟର୍କମୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସବାହିନୀ ଏବଂ ସଫେଇକର୍ମୀଙ୍କ ସୁରକ୍ଷା ଓ ସୁସ୍ଥତା କାମନା କରୁଛନ୍ତି ବୋଲି ଜଣେଇଛନ୍ତି । ଲକ୍ଡାଉନ୍ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏ ହୋମଯଜ୍ଞ ଜାରି ରହିବାର ସୂଚନା ବାସ୍ତବରେ ତାଙ୍କର ଧୈର୍ଯ୍ୟ, ନିଃସ୍ୱାର୍ଥପର ଜନସେବା ଓ ଭଗବତ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତୀୟ ସଂସ୍କୃତିକୁ ଅନୁସରଣ କରି ହ୍ୱାଇଟ୍ ହାଉସ୍ ପ୍ରାଙ୍ଗଣରେ ତାଙ୍କ ଦେଶବାସୀଙ୍କ ଶାନ୍ତିପାଠର ଆୟୋଜନ କରିଥିଲେ ସଂସ୍କୃତିର ମହାନତାକୁ ପ୍ରମାଣିତ କରିଥିଲେ । ସ୍ପେନ୍ର ଏକ ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ଆମ ଭାରତୀୟ ସଂସ୍କୃତିକୁ ଅବଲମ୍ବନ କରି ‘ଓଁ’ ମନ୍ତ୍ରର ଉଚ୍ଚାର କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ମନ୍ତ୍ରର ଜପ ଦ୍ୱାରା ମନ ସ୍ଥିର ଓ ଶାନ୍ତ ହୁଏ, ଯାହା କରୋନା କାଳରେ ଲୋକଙ୍କ ମନକୁ ଭୟମୁକ୍ତ କରିବାରେ ସହାୟକ ହୋଇପାରିବ ବୋଲି ତାଙ୍କର ବିଶ୍ୱାସ ରହିଛି । କହିବା ବାହୁଲ୍ୟ ଭକ୍ତି ଓ ଭଗବତ ବିଶ୍ୱାସ ହିଁ ଏବେ ଶେଷ ଆଶ୍ରା ବୋଲି କୁହାଯାଇପାରେ । ବହୁତ ଗୁଡ଼ିଏ ରାଷ୍ଟ୍ର ଏଭଳି ସମୟରେ ଭକ୍ତି ଓ ଆଧ୍ୟାତ୍ମିକ ମନୋବୃତ୍ତି ନେଇ ଦୁନିଆକୁ କରୋନାମୁକ୍ତ କରିବାର ପ୍ରୟାସ କରୁଥିବା ବେଳେ ନିବେଦିତାଙ୍କର ଏହି ଆସ୍ଥା ଓ ବିଶ୍ୱାସର ଚେଷ୍ଟା ସାମ୍ପ୍ରତିକ ପରିସ୍ଥିତିରେ ଏକ ଉଦାହରଣ ସାଜିଛି ।


