୯ଟି ରାଜ୍ୟ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି

ନୂଆ ଦିଲ୍ଲୀ:ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପରିଷଦ ଆୟୂଷ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥାଭାବେ କାର୍ଯ୍ୟ କରୁଛି । ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି । ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି । ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ସମଗ୍ର ଦେଶରେ ଯୋଗ ଓ ନେଚରପ୍ୟାଥିକୁ ପ୍ରୋତ୍ସାହିତ କରିବା ସହ ବିଦେଶରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ଏସବୁ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟ ୬ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର୍ଯ୍ୟ।ୟାୟକ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ