୯୦ ଦିନରେ ମିଳିବ ଟିକା: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଏହାର ମୁକାବିଲା ପାଇଁ ଭାରତୀୟ ଫାର୍ମା କମ୍ପାନୀମାନେ ଟିକା ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଦେଶର ୧୪ଟି ବଡ଼ ହସ୍ପିଟାଲରେ ଭାରତୀୟ ଟିକା କେଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ୯୦ ଦିନରେ ସମ୍ପୂର୍ଣ୍ଣ ହେବ । ଏଥିରେ ଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ବେଙ୍ଗାଲୁରୁ, ଚେନ୍ନାଇ କାନପୁର, ପାଟନା, ଗୋଆ ଏବଂ ଭୁବନେଶ୍ୱରର ହସ୍ପିଟାଲ ସାମିଲ ଅଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଟ୍ୱିଟ କରି କହିଛନ୍ତି ଯେ ସ୍ୱଦେଶୀ ନିର୍ମିତ କରୋନା ଟିକାର ମାନବ ପରୀକ୍ଷଣ ସଫଳତାର ସହ ଜାରି ରହିଛି । କୋଭିଡ ୧୯ ବିରୋଧରେ ଭାରତର ଲଢେ଼ଇ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । ଆମେ ଖୁବଶୀଘ୍ର ଏହି ମହାମାରୀ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିପାରିବା ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।
ହାଇଦ୍ରାବାଦ ସ୍ଥିତ ଭାରତୀୟ ଭେଷଜ କମ୍ପାନୀ ଭାରତ ବାୟୋଟେକ ଇଣ୍ଟରନାସନାଲ ଲି. ଦ୍ୱାରା ନିଜସ୍ୱ ଜ୍ଞାନକୌଶଳରେ ବିକାଶିତ କୋଭାକ୍ସିନ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଗତ ୧୫ ତାରିଖରୁ ବିହାରର ପାଟନା ଏମସରେ ଆରମ୍ଭ ହୋଇଛି । ଭାରତୀୟ ଭେଷଜ ଗବେଷବଣା ପରିଷଦ (ଆଇସିଏମଆର) ଏବଂ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି)ର ମିଳିତ ସହଯୋଗରେ ବିକଶିତ ଏହି ଟିକାର ମାନବୀୟ ପରୀକ୍ଷଣ ପାଇର୍ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି ।