୯୩ ବର୍ଷରେ ନବୀନ
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର ସହର ସଂପର୍କୀତ ବିଭିନ୍ନ ଉଲ୍ଲେଖଯୋଗ୍ୟ ଘଟଣାକ୍ରମ ମଧ୍ୟରେ ୯୩ ବର୍ଷ ଧରି ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶନ ଅନ୍ୟତମ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଛଅ ବର୍ଷ ଏବଂ ଭାରତ ସ୍ୱାଧୀନତା ଲାଭ କରିବା ୧୭ ବର୍ଷ ପୂର୍ବେ ୧୯୩୦ରେ ମହୁରି ରାଜପରିବାର ପୃଷ୍ଠପୋଷକତାରେ ନବୀନ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହେ ।ଇଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ମୃତ୍ୟୁ ଯାଏଁ ନବୀନର ସମ୍ପାଦକ ରହିଥିଲେ । ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ କିଛିକାଳ ସମ୍ପାଦନା କଲାପରେ ପତ୍ରିକାଟି ସମ୍ପାଦନା ଓ ପ୍ରକାଶନରେ ସହଯୋଗିତା କରୁଥିବା ରାଜକର୍ମଚାରୀ ସିଂହାଦ୍ରୀ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ବା ରାଜପରିବାର ପକ୍ଷରୁ ନବୀନ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ବାଦିକ ରବି ରଥ ୧୯୮୯ରେ ନବୀନର ସତ୍ତ୍ୱ କ୍ରୟ କରି ପ୍ରକାଶନ ଦାୟିତ ଗ୍ରହଣ କରିଥିଲେ । ଯାହାକି ୩୨ ବର୍ଷ ଶ୍ରୀ ରଥଙ୍କ ସମ୍ପାଦନାରେ ପ୍ରକାଶ ପାଇ ବେଶ ଲୋକପ୍ରିୟ ହାସଲ କରିପାରିଛି । ସାପ୍ତାହିକ ସମ୍ବାଦପତ୍ରଟି ୧୯୩୦ରେ ଆତ୍ମପ୍ରକାଶ କରିବା ପରଠୁ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଚାଲିଛି ଏବଂ ସାତବର୍ଷପରେ ୨୦୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ ।
ନବୀନ ଜନ୍ମକାଳରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଓ ସାମ୍ବାଦିକତା କ୍ଷେତ୍ରରେ ନେତୃତ ଗ୍ରହଣ କରୁଥିଲା । ପାରମ୍ପରିକଭାବେ ମହୁରି ରାଜପରିବାର ସଂସ୍କୃତି ପ୍ରିୟ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଦୀରେ ଗଜପତି ରାଜା ପୁରୁଷେ ।ତ୍ତମ ଦେବ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । ମହୁରି ରାଜପରିବାର ସଂପର୍କରେ ଗବେଷଣା କରି ସନ୍ଦର୍ଭ ରଚନା କରିଥିବା ଡ଼କ୍ଟର ବିଚିତ୍ରାନନ୍ଦ ଦାଶଙ୍କ ଭାଷାରେ, ଗଜପତି ପୁରୁଷେ ।ତ୍ତମ ଦେବ ତାଙ୍କର ଦକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଏବଂ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ଋୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇ ସୋମରାଜାଙ୍କୁ ପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ମହୁରି ରାଜ୍ୟ ଭାବରେ ଖ୍ୟାତ ହେଲା ।
କୃପାସିନ୍ଧୁ ନରେନ୍ଦ୍ର ଦେବ ସଙ୍ଗୀତ, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ହେତୁ ସାମ୍ବାଦିକତା ସାଙ୍ଗକୁ ସାହିତ୍ୟ ସୃଜନକୁ ଉତ୍ସାହିତ କରିବା ନିମନ୍ତେ ନବୀନ ପ୍ରକାଶନରେ ମନୋନିବେଶ କରିଥିଲେ । ସେ ସମୟରେ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ଆଶା ଦୈନିକ ସମ୍ବାଦପତ୍ରରେ ରୂପାନ୍ତରିତ ହୋଇଥାଏ । ଅତଏବ ସମୃଦ୍ଧ ସାମ୍ବାଦିକତା ପରିବେଶରେ ଏକ ବିକଳ୍ପ ସାମ୍ବାଦିକତା ଧାରା ପ୍ରବର୍ତ୍ତନ ଲାଗି ଉଦ୍ୟମ କରିଥିବା ସୁସ୍ପଷ୍ଟ ।
ନବୀନ ମୁଦ୍ରଣ ନିମନ୍ତେ ମହୁରି ରାଜବାଟୀରେ ରୟାଲ ପ୍ରେସ ନାମକ ଏକ ଛାପାଖାନା ସ୍ଥାପିତ ହୋଇଥିଲା । ଅଧୂନା ସାନବଜାରରୁ ବଡ଼ବଜାର ଯିବା ମୁଖ୍ୟରାସ୍ତାରେ ଖାସ୍ପାସାହୀ ଛକରେ ପହଞ୍ଚିବା ପୂର୍ବରୁ ଡ଼ାହାଣ କଡ଼ ରାସ୍ତାରେ ଦେଶୀବେହରା ସାହୀକୁ ପ୍ରବେଶ କରିବାକୁ ପଡ଼େ । ସେହି ରାସ୍ତାରେ ବାମ ମୋଡ଼ ନେବା ପୂର୍ବରୁ ଡାହାଣ ପଟେ ମହୁରି ରାଜପ୍ରସାଦ ବିଦ୍ୟମାନ ଥିଲା । ପ୍ରବେଶ ପଥର ଡ଼ାହାଣ ପଟେ, ଅର୍ଥାତ ବର୍ତ୍ତମାନ ଠାକୁରାଣୀଯାତ୍ରା ସମୟରେ ମହୁରି ରାଜା ହାଣ୍ଡି ପରିକ୍ରମାବେଳେ ପୂଜାର୍ଚ୍ଚନା କରୁଥିବା କଠୋରୀର ସାମନାରେ ରୟାଲ ପ୍ରେସ ଦୁଇ ବଖୁରିଆ ଗୃହରେ ସ୍ଥାପିତ ହୋଇଥିଲା । ପ୍ରଥମ ବଖରାରେ ସିଂହାଦ୍ରୀ ପଣ୍ଡା ଏକ ବଡ଼ କାଠ ଟେବୁଲ ସାମନାରେ ବସୁଥାନ୍ତି । ଆଗନ୍ତୁକଙ୍କ ପାଇଁ ଦୁଇଗୋଟି କାଠ ଚୌକୀ ପଡ଼ିଥାଏ । ସେ ରୀତିମତ ସକାଳ ୧୦ରୁ ରାତି ୮ ଯାଏଁ ସମ୍ପାଦନା, ସଂଶେ ।ଧନ, ବିଜ୍ଞାପକଙ୍କ ସହ ପତ୍ରାଳାପ ଓ ଅତିଥି ସତ୍କାରରେ ବ୍ୟସ୍ତ ରହୁଥାନ୍ତି । ଏକ ଛୋଟିଆ ଟାଇପ ରାଇଟର ଟେବୁଲ ଉପରେ ଥୋଇ ଇଂଲିଶ ଚିଠିପତ୍ର ପ୍ରସ୍ତୁତ କରୁଥାନ୍ତି । ସିଂହାଦ୍ରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରନ୍ତି, କିନ୍ତୁ କାହା ସହ ଦୀର୍ଘ ସମୟ ଆଳାପ କରନ୍ତି ନାହିଁ । ନିଜ ଅଫିସ କାମକୁ ତୁରନ୍ତ ଫେରି ଯାଆନ୍ତି । ପଛ ବଖରାରେ କମ୍ପୋଜିଟ ଟେବୁଲ ଏବଂ ଟ୍ରେଡ଼ଲ ମେସିନ ଥାଏ ସେଠି ପତ୍ରିକା ଛାପା ହୁଏ ।
ବଡ଼ ବଜାରରେ ନବୀନର ସ୍ତନ୍ତ୍ର ପରିଚୟ ରହିଥାଏ । ଅତୀତରେ ଡ଼ାକଘର ଜନଜୀବନରେ ପ୍ରଭାବଶାଳୀ ବିବେଚିତ ହେଉଥିଲା । ନବୀନ କାର୍ଯ୍ୟାଳୟ ସାମ୍ନାରେ ନବୀନ ଡ଼ାକଘର କାର୍ଯ୍ୟକରୁଥାଏ । ମହୁରି ରାଜପରିବାରଙ୍କ ପକ୍ଷରୁ ମହୁରି ରାଜବାଟୀ ଗତ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ଖଣ୍ଡ ଖଣ୍ଡକରି ବିକ୍ରୀ କରିଦିଆଗଲା । ରୟାଲ ପ୍ରେସର ଜମି ବିକ୍ରୀ ଅବସରରେ ସିଂହାଦ୍ରୀ ପଣ୍ଡା ନିଜ ରଙ୍ଗୁଣୀବନ୍ଧ ସାହୀ ବାସଭବନକୁ ଛାପାଖାନାଟି ଉଠାଇ ନେଇ କିଛି କାଳ ନବୀନ ମୁଦ୍ରଣ ଓ ପ୍ରକାଶନ ଜାରୀ ରଖିଥିଲେ । ରବି ରଥ ନବୀନ ପ୍ରକାଶନ ସତ୍ତ ହାସଲ ପରେ ନିଜେ ଛାପାଖାନା ସ୍ଥାପନ କଲେ ନାହିଁ । ଏଯାଏଁ ପତ୍ରିକାଟି ଅନ୍ୟ ଘରୋଇ ମୁଦ୍ରଣାଳୟରେ ମୁଦ୍ରିତ ହେଉଛି ।
ନବୀନ ସମ୍ବାଦପତ୍ର ରୂପେ ପ୍ରକାଶିତ ହେଉଥିଲେ ହେଁ ସାହିତ୍ୟ ସୃଜନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିଲା । ସ୍ୱାଧୀନତା-ପୂର୍ବ ଦୁଇ ଦଶନ୍ଧି ଏବଂ ସ୍ୱାଧୀନତା-ପର ଦୁଇ ଦଶନ୍ଧି ପ୍ରାୟ ଚାଳିଶି ବର୍ଷ ଧରି ସମଗ୍ର ଓଡ଼ିଶାର ଅଧିକାଂଶ ସାହିତ୍ୟିକଙ୍କ ପ୍ରଥମ ରଚନା ସମୂହ ନବୀନରେ ହିଁ ପ୍ରକାଶିତ ହୋଇଥିବା ଗୌରବର ଅଧିକାରୀ ବ୍ରହ୍ମପୁରର ବହୁ ସାହିତ୍ୟିକ ନବୀନ ପୃଷ୍ଠାରେ ନିଜ ରଚନା ପ୍ରକାଶନର ଶିହରଣ ଅନୁଭବ କରି ଆସିଛନ୍ତି । ସହରର ସାଂସ୍କୃତିକ ଇତିହାସରେ ନବୀନର ଯୋଗଦାନର ପଟାନ୍ତର ନାହିଁ ।
ଅବସରପ୍ରାପ୍ତ ପ୍ରାଧ୍ୟାପକ, ସାମ୍ବାଦିକ ଗଣଯୋଗାଯୋଗ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭୀମରାଓପେଟା, ବ୍ରହ୍ମପୁର-୧
ଭରକ୍ସଷବଜ୍ଞକ୍ଟ୍ରଙ୍କକ୍ସୟସବକ୍ସଚ୍ଚ.ଭକ୍ଷକ୍ଟଶଗ୍ଦକ୍ଟ୍ରକ୍ଟଗ୍ଧ.ମକ୍ଟଜ୍ଞ


