୯ କୁଇଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି । କିଛି ମାଫିଆ ପୁଲିସ ପଞ୍ଝାରେ ପଡ଼ୁଥିବା ବେଳେ ଆଉ କେତେ ପୁଲିସକୁ ଚଜ୍‌ମା ଦେଖାଇ ଖସି ଯାଉଛନ୍ତି । ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି । ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ବାବଧାନରେ ରା, ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ଟିମ ସକାଳ ପ୍ରାୟ ୫ଟା ବେଳେ ପେଟ୍ରୋଲିଙ୍ଗ କରିବା ବେଳେ ପଟେଇଗୁଡା ନିକଟ ଜଙ୍ଗଲ ରାସ୍ତା କଡରେ ୨୪ଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବସ୍ତା ଧରି ଗାଡିକୁ ଅପେକ୍ଷା କରିଥିବା ବେଳେ ପୁଲିସ ଚଢ଼ାଉ କରିଥିଲା । ଉକ୍ତ ବସ୍ତା ଗୁଡିକ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ପାଇ ରା, ଉଦୟଗିରି ତହସିଲଦାରଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୯ କୁଇଣ୍ଟାଲ ୬୮ କିଲୋ ୯୦୦ ଗ୍ରାମ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ବିହାର ରାଜ୍ୟର ସୋନୁ ପାଶ୍ୱନ (୧୯) କୁ ଗିରଫ କରିଛି । ପୁଲିସ ଉକ୍ତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଶତପଥୀ କହିଛନ୍ତି ।ଏହା ସହ ସେ କହିଛନ୍ତି ଯେଉଁମାନେ ଏହି ଗଞ୍ଜେଇ ଚୋରା ଚାଲାଣ କିମ୍ବା ଚାଷରେ ସମ୍ପୃକ୍ତ ରହୁଛନ୍ତି ସେମାନେ ସେଠାରୁ ଦୁରେଇ ରହି ସରକାରଙ୍କ ଯେଉଁ ସବୁ ସୁବିଧା ରହିଛି ସେ ସବୁର ସୁବିଧା ପାଇ ଟଙ୍କା କମାଇପାରିବେ ତେଣୁ ଗଞ୍ଜେଇ ଚାଷ ଓ ଚାଲାଣରୁ ଦୁରେଇ ରୁହନ୍ତୁ ଏହା ସହ ଶୀଘ୍ର ଆରମ୍ଭ ହେବ ଗଞ୍ଜେଇ ଦମନ ଅଭିଯାନ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ