୯ ଦଫା ଦାବିରେ ଏନ୍ଏସି ସମ୍ମୁଖରେ ଧାରଣା
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ଜନ ଅଧିକାର ମଞ୍ଚ ପକ୍ଷରୁ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ୯ଦଫା ଦାବିରେ ସୁକାନ୍ତ ମହାନ୍ତିଙ୍କ ନେତୃତ୍ୱରେ କର୍ମକର୍ତ୍ତା ଧାରଣାରେ ବସିଥିଲେ । ଏନ୍ଏସି ଅନ୍ତର୍ଗତ ୧୩ଟି ୱାର୍ଡର ବିଭିନ୍ନ ସମସ୍ୟା ନେଇ ଏହି ଧାରଣା ଦିଆଯାଇଥିଲା । କୋଣାର୍କ ସମେତ ନିକଟସ୍ଥ ୯ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ବାସିନ୍ଦାଙ୍କ ନଟ୍ ଫାଇନାଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଏନଏସିରେ ୫ଟି ବାତ୍ୟା ଆଶ୍ରୟସ୍ତଳୀ ନିର୍ମାଣ, ସମସ୍ତ ଚାଳ, ଆଜବେଷ୍ଟସ ଓ କଚ୍ଚାଘର ଥିବା ହିତାଧିକାରୀଙ୍କୁ ପକ୍କା ଘର, ପ୍ରତି ୱାର୍ଡକୁ ଭୂତଳ ବିଦ୍ୟୁତ ସେବା, ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ତୁରନ୍ତ ରାସନ କାର୍ଡ ପ୍ରଦାନ, ଏନଏସିର ବଞ୍ଚିତ ଥିବା ୯ଟି ୱାର୍ଡକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତା ଓ କମ୍ୟୁନିଟ ସେଣ୍ଟର ନିର୍ମାଣ କରାଯିବା ସହିତ ବୃକ୍ଷରୋପଣ, ସମସ୍ତ ଜଳାଶୟର ପୁନରୁଦ୍ଧାର ଆଦି ଦାବି କରି ଏହି ଧାରଣା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସଙ୍କୁ ପ୍ରଦାନ କରାଯାଇଥିଲା । ପରେ କର୍ମକର୍ତ୍ତାମାନେ ଧାରଣରୁ ଉଠିଥିଲେ ।