୯ ମାସ ପରେ ଖୋଲିଲା ଏସିଆ ପ୍ରସିଦ୍ଧ ଓ ବୃହତ୍ତମ ଚନ୍ଦ୍ରଗିରିର ବୌଦ୍ଧ ମନ୍ଦିର ;ପର୍ଯ୍ୟଟକ ବେଶ୍ ଉତ୍ସାହିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର କୋରନା କଟକଣା ଯୋଗୁଁ ଗତ ମାର୍ଚ୍ଚ ଠାରୁ ବନ୍ଦ ଥିଲା । ଗତ ୨ ତାରିଖ ଦିନ ଦୀର୍ଘ ୯ ମାସ ପରେ ଏହି ବୌଦ୍ଧ ମନ୍ଦିରଟି ଖୋଲାଯାଇଛି । ଇଂରାଜୀ ନୂତନ ବର୍ଷ ଅବସରରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବା ଏହି ମନ୍ଦିରରେ ଖୋଲାଯିବା ପ୍ରଥମ ଦିନରୁ ହିଁ ପର୍ଯ୍ୟଟକ ଓ ଦର୍ଶକଙ୍କ ବେଶ୍ ଭିଡ ଜମିଥିଲା । ଦୀର୍ଘ ମାସ ପରେ ମନ୍ଦିରଟି ଖୋଲାଯିବା ଯୋଗୁଁ ପର୍ଯ୍ୟଟକ,ଦର୍ଶକ ଓ ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି । କୋରନା କଟକଣା ଦୃଷ୍ଟିରୁ ବନ୍ଦ ରହିଥିବା ମନ୍ଦିରକୁ ନୂତନ ବର୍ଷର ଆଗମନରେ ଖୋଲାଯିବା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳୁଛି । ଏଠାକାର ସୁନ୍ଦର କାରୁକାର୍ଯ୍ୟ ଓ ମନଲୋଭା କିର୍ତ୍ତୀରାଜି,ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ସବୁଜ ବନାନୀ ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିପାରୁଥିବାରୁ ଏଠାରେ ବର୍ଷର ପ୍ରାୟ ପ୍ରତ୍ୟେକ ଦିନରେ ଜନ ଗହଳି ଦେଖିବାକୁ ମିଳେ । ବୌଦ୍ଧ ମନ୍ଦିର କମିଟିର ନିର୍ଦ୍ଦେଶ ପ୍ରକାର ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକରି ଥରକୁ ୨୦ ରୁ୨୫ ଜଣ ଆଗନ୍ତୁକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉଛି । ସାଧାରଣ ଲୋକ କୋରନା ଓ କମିଟିର ନିର୍ଦ୍ଦେଶକୁ ମାନି ବୌଦ୍ଧ ମନ୍ଦିରକୁ ଦର୍ଶନ କରି ଆନନ୍ଦ ଉପଭୋଗ କରୁଥିବା କହିଛନ୍ତି ।


