ୱାଲଟିୟର ଡିଭିଜନକୁ ଭାଙ୍ଗି ପୂର୍ବତଟ ରେଳବାଇକୁ ଦୁର୍ବଳ କରିବା ଚଳିବ ନାହିଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଶୁକ୍ରବାର ସନ୍ଧ୍ୟାରେ ଅଲ ଇଣ୍ଡିଆ ଫରୱାର୍ଡ୍ ବ୍ଲକ, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଫରୱାର୍ଡ଼ ବ୍ଲକର ରାଜ୍ୟ କାର୍ଯ୍ୟାଳୟ ‘ନେତାଜୀ ଭବନ\’ ପରିସରରେ ଏକ ‘ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟର ବୈମାତୃକ ମନୋଭାବ’ ସଂକ୍ରାନ୍ତରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ୧୧ଟି ବିରୋଧୀ ଦଳର ବହୁ ବରିଷ୍ଠ ରାଜନୀତିଜ୍ଞ, ରେଳବାଇ-ବିଶେଷଜ୍ଞ, ସାମ୍ବାଦିକଙ୍କ ଉପସ୍ଥିତିରେ ଆୟୋଜିତ ଏହି ଆଲୋଚନା ସଭାରେ ବକ୍ତାମାନେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ଭାଗ ଭାଗ କରି ଏହାର ପ୍ରମୁଖ ଅଂଶକୁ ବିଜୟୱାଡ଼ା ଡିଭିଜନରେ ମିଶ୍ରଣ କରିବାର ହୀନ ଉଦ୍ୟମ ଫଳରେ ଓଡ଼ିଶା ଉପରେ ଏହାର ପଡି଼ବାକୁ ଥିବା ଗମ୍ଭୀର ପ୍ରଭାବ ଉପରେ ଭାବଗର୍ଭକ ଆଲୋଚନା କରିଥିଲେ । ବକ୍ତାମାନେ ମୁଖ୍ୟତଃ ୱାଲଟିୟର ଡିଭିଜନର ବିଲୁପ୍ତି ପରେ ଓଡ଼ିଶା ତଥା ପୂର୍ବତଟ ରେଳବାଇର ସ୍ୱାର୍ଥ କିପରି ଅକ୍ଷୁର୍ଣ୍ଣ ରଖାଯାଇ ପାରିବ ସେଥିପାଇଁ ଆଗାମୀ ଦିନର ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନା ସଭାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ସିପିଆଇ (ଏମଏଲ) ଲିବରେସନ୍‌, ସିପିଆଇ (ଏମଏଲ) ରେଡଷ୍ଟାର, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ସମତାକ୍ରାନ୍ତି ଦଳ ଓ ଆପ୍ ଦଳର ରାଜ୍ୟ ନେତୃତ୍ୱମାନେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ ।ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ବରିଷ୍ଠ ସାମ୍ବାଦିକ ରବି ଦାସ ସଭାପତିତ୍ୱ କରିଥିଲେ । ୱାଲଟିୟର ଡିଭିଜନର ପ୍ରମୁଖ ଅଂଶକୁ ଦକ୍ଷିଣ-କେନ୍ଦ୍ର ରେଳବାଇର ବିଜୟାୱାଡା ଡିଭିଜନ ସହିତ ମିଶାଇ ଦେବାକୁ କେନ୍ଦ୍ର ସରକାର ପକ୍ଷରୁ ଚାଲିଥିବା ଚକ୍ରାନ୍ତକୁ ମିଳିତ ବିରୋଧୀ ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ଏହା ଫଳରେ ପୂର୍ବତଟ ରେଳବାଇକୁ ବାର୍ଷିକ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଅବସରରେ ମତପ୍ରକାଶ କରିଥିଲେ । ୱାଲଟିୟର ଡିଭିଜନ ଭାଙ୍ଗିବା ପରେ ଏହାର ଅଧିକାଂଶ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ରେଳବାଇର ବିଜୟୱାଡା ଡିଭିଜନ ସହିତ ମିଶ୍ରଣ ନକରି ସମଗ୍ର ୱାଲଟିୟର ଡିଭିଜନକୁ ଓଡ଼ିଶାର ରାୟଗଡା ଡିଭିଜନ ସହିତ ମିଶ୍ରଣ କରାଯିବାକୁ ଏହି ସଭାରେ ଦାବି କରାଯାଇଛି । ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡକୁ ନେଇ ଏକ ନୂତନ ଉତ୍ତର ଓଡ଼ିଶା ଡିଭିଜନ ଗଠନ ପାଇଁ ସଭାରେ ସର୍ବସମ୍ମତ କ୍ରମେ ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ କେନ୍ଦ୍ର ସରକାର ବିଶେଷକରି କେନ୍ଦ୍ର ରେଳ ବିଭାଗର ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ଦୃଢ ବିରୋଧ କରାଯାଇ ପୂର୍ବତଟ ରେଳବାଇକୁ ସଶକ୍ତ କରିବା ପାଇଁ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ଏକ ଗଣ କନ୍‌ଭେନସନ ସଂଗଠିତ କରାଯିବାକୁ ଏହି ଆଲୋଚନା ସଭାରେ ସ୍ଥିର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନା ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ବିଧାନସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡି, ଜୟନ୍ତ ଦାସ, ସିପିଆଇ (ଏମ୍‌)ର ବରିଷ୍ଠ ନେତ୍ରୀ ପୁଷ୍ପା ଦାସ, ପ୍ରଭାତ ପାଣିଗ୍ରାହୀ, ସିପିଆଇ (ଏମ୍‌-ଏଲ) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ସିପିଆଇ (ଏମ୍‌-ଏଲ୍‌) ରେଡ଼ଷ୍ଟାରର ରାଜ୍ୟ ସମ୍ପାଦିକା ପ୍ରମିଳା, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଏନ୍‌ସିପିର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରଜେଡ଼ିର ସାଧାରଣ ସମ୍ପାଦକ ହେମନ୍ତ କୁମାର, ଆମ୍ ଆଦ୍‌ମୀ ପାର୍ଟିର ସମରେଶ ରାଉତ, ସମତା କ୍ରାନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ରାଜନୈତିକ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ