ୱେବିନାର ମାଧ୍ୟମରେ କନ୍ଧମାଳ ଜିଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସକୁ କନ୍ଧମାଳ ଜିଲ୍ଲାରେ ୱେବିନାର ମାଧ୍ୟମରେ ଆଜି ପାଳନ କରାଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. କୋଭିଡ୍-୧୯ ସଂକ୍ରମଣ ସମୟରେ ଜିଲ୍ଲା ଗଣମାଧ୍ୟମର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ଏହିଭଳି ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ଆଗାମୀ ଫେବୃଆରୀ ମାସ ପର୍ଯ୍ୟନ୍ତ କୋଭିଡ୍-୧୯ର ଗାଇଡ୍ଲାଇନକୁ ମାନିବାକୁ ଆବଶ୍ୟକ ଓ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ପଡ଼ିବ । ଏହିଭଳି ଦେଶବ୍ୟାପୀ ବିପଦ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ପ୍ରଶାସନର ସହଯୋଗ ସବୁବେଳେ ରହିବ ମାତ୍ର ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍-୧୯ ଗାଇଡ୍ଲାଇନ୍କୁ ନିଜେ ମାନିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ତଥା ଆଲୋଚକ ଭାବେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧିମାନେ କିପରି ପୋଲିସ ବିଭାଗର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ମଧ୍ୟ ସେମାନଙ୍କର ସହଯୋଗ କାମନା କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର ହର ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଦାୟିତ୍ୱରେ ଥିବା ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଭାକର ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇଥିଲେ । ଏହି ଅବସରରେ ଶିବ ପ୍ରସାଦ ତ୍ରିପାଠୀ ,ବଟକୃଷ୍ଣ ବିହାରି,ସଦାଶିବ ପାତ୍ର ଓ ଅଶୋକ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ କୋଭିଡ୍-୧୯ଭଳି ଦେଶବ୍ୟାପି ବିପଦ ସମୟରେ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅଜିତ୍ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗୁଗୁଲ୍ ମିଟରେ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
Attachments area


