ନିଯୁକ୍ତି ପରଠୁ ୧୦ ଡାକ୍ତର ନିଖୋଜ
କଟକ,(ଓ୍ବାଇଏନଏସ): ଚାକିରିରେ ଯୋଗ ଦେଲା ଦିନ ପରଠୁ ଆଉ ଦେଖା ସାକ୍ଷାତ ନାହିଁ । ଛୁଟି ଦରଖାସ୍ତ ଦେଇନାହାନ୍ତି କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ପ୍ରକାର ଅନୁମତି ନେଇନାହାନ୍ତି । କଟକ ଜିଲ୍ଲାର ନିଆଳି, ବଡ଼ମ୍ବା, ମାଣିଆବନ୍ଧ, ବିନ୍ଧାଣିମା ଆଦି କେତେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା କମ୍ୟୁନିଟି ହେଲଥ୍ ସେଣ୍ଟର୍(ସିଏଚ୍ସି) ସମେତ ଆଠଗଡ଼ ଓ ବାଙ୍କୀ ସବ୍ଡ଼ିଭିଜନ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ୧୦ରୁ ଅଧିକ ଡାକ୍ତରଙ୍କର ଏବେ ପତ୍ତା ମିଳୁନି । ଶିଶୁ ରୋଗ ବିଭାଗ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର, ଆନାସ୍ଥେସିଆ ଓ ମେଡିସିନ୍ ଆଦି ବିଭାଗର ଡାକ୍ତର ବିନା ଅନୁମତିରେ ହସ୍ପିଟାଲ୍ରୁ ଅନୁପସ୍ଥିତ ଥିବା ସୂଚନା ମିଳିଛି । କିଏ ବର୍ଷେ ହେଲା ତ ଆଉ କିଏ ଦୁଇ ବର୍ଷରୁ ଅଧିକ ସମୟ ହେବ ଆଉ ହସ୍ପିଟାଲ୍ ମାଟି ମାଡ଼ୁ ନାହାନ୍ତି । ଦୀର୍ଘ ଦିନ ହେଲା ଅନୁପସ୍ଥିତ ଥିବା ଏହି ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ । ସମ୍ପୃକ୍ତ ଡାକ୍ତରମାନେ ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେବଳ ରେକର୍ଡରେ ଦର୍ଶାଇ ତାର ଡ୍ୟୁଟି ସାରିଛି ।କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ମଞ୍ଜୁରି ପ୍ରାପ୍ତ ୭୫୦ ଡାକ୍ତର ପଦବି ରହିଛି । ଏଥିରୁ ଏବେ ମାତ୍ର ୨୫୦ ଜଣ ଡାକ୍ତର ରହିଥିବା ବେଳେ ଅବଶିଷ୍ଟ ପଦବି ଖାଲି ପଡ଼ିଛି । ଡାକ୍ତର ପଦବି ଖାଲି ପଡ଼ିବାରୁ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ବିଭ୍ରାଟ ହେଉଛି । ଅନ୍ୟପକ୍ଷରେ ସରକାରୀ କାଗଜପତ୍ରରେ ଯେଉଁ ୨୫୦ ଡାକ୍ତର ନିୟୋଜିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତର ଅନୁପସ୍ଥିତ ଅଛନ୍ତି । ସରକାରୀ କାଗଜପତ୍ରରେ ୧୦ରୁ ଅଧିକ ଡାକ୍ତର ଦୀର୍ଘ ଦିନ ହେଲା ବିନା ଛୁଟି ଦରଖାସ୍ତରେ ହସ୍ପିଟାଲ୍ରେ ଅନୁପସ୍ଥିତ ରହିଛନ୍ତି ବୋଲି ଦର୍ଶାଯାଉଥିଲେ ହେଁ ବାସ୍ତବରେ ଜିଲ୍ଲାର ନରସିଂହପୁର, ଅଡ଼ଶପୁର, କାନପୁର, ମାହାଙ୍ଗା, ଆଠଗଡ଼ ଆଦି ହସ୍ପିଟାଲ୍ରେ କେତେକ ଡାକ୍ତର ପାଳି କରି ଆସୁଥିବାର ଅଭିଯୋଗ ହେଉଛି । ସେହିପରି ଚାଉଳିଆଗଞ୍ଜ, ସିଡିଏ ଆଦି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମଧ୍ୟ ଡାକ୍ତର ପାଳି କରି ଡ୍ୟୁଟି କରୁଥିବାର ଜଣାଯାଇଛି । ରୋଗୀ ସେବାରେ ନିୟୋଜିତ ଥିବା ଡାକ୍ତରଙ୍କ ଏପରି ମନଇଚ୍ଛା ଅନୁପସ୍ଥିତ ଓ ପାଳି କରି ଡ୍ୟୁଟି କରି ଫୁଲାଫାଙ୍କାରେ ବୁଲୁଥିଲେ ହେଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରେକର୍ଡରେ ଡାକ୍ତରଙ୍କ ନାଁ ଗଡ଼ୁଥିବାରୁ ଉକ୍ତ ପଦବିରେ ଆଉ କୌଣସି ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଏହା ଦ୍ୱାରା କଟକ ଜିଲ୍ଲା ହିଁ କ୍ଷତିଗ୍ରସ୍ତ ହେଉଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ ହୋତା କହିଛନ୍ତି, ବିନା ଅନୁମତିରେ ସରକାରୀ ନିର୍ଦ୍ଦେଶନାମାକୁ ନମାନି ଦୀର୍ଘ ଦିନ ହେଲା ଅନୁପସ୍ଥିତ ଥିବା ଡାକ୍ତରଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ।


