୧୦ରେ ଟି.ୟୁ.ଏ.ସି.ସି. ପକ୍ଷରୁ ଗଣ ସମ୍ମେଳନ
ବାଲେଶ୍ୱର, (ସରୋଜ ପଣ୍ଡା): କରୋନା ସମୟରୁ ବିର୍ଲାଟାୟାର୍ସର ଉତ୍ପାଦନ ପ୍ରକ୍ରିୟା ବ୍ୟାହତ ହୋଇଥିବାବେଳେ କ୍ରମଶଃ ରୁଗ୍ଣ ହେବା କାରଣରୁ ଏନ୍.ସି.ଏଲ୍.ଟି ଗତ ତା ୨୩-୧୧-୨୦୨୩ ରିଖର ଏକ ରାୟ ଆଧାରରେ ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଲିମିଟେଡ଼୍ – ୯୯% ଓ ଏହାର ଷ୍ଟ୍ରାଟେଜିକ୍ ପାର୍ଟନର ହିମାଦ୍ରି କେମିକାଲ୍ସ ସ୍ପେସିଆଲିଟି ଲିମିଟେଡ଼୍କୁ ୧% ଏହାର ମାଲିକାନା ହସ୍ତାନ୍ତର କରିବା ସହ ପୁରୁଣା ଶ୍ରମିକଙ୍କ ଆଂଶିକ ବକେୟା ଦେୟ, ପି.ଏଫ୍. ଦେୟ, ଅବସର ଓ ମୃତ୍ୟୁବରଣ କରିଥିବା ଶ୍ରମିକମାନଙ୍କ ଗ୍ରାଚ୍ୟୁଇଟି ପ୍ରଦାନ ଏବଂ ପୁନଃନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ନୂତନ କମ୍ପାନୀ ଏହି ରାୟକୁ କାର୍ଯ୍ୟକାରୀ ନକରିବା ଫଳରେ କାରଖାନା ପାଶ୍ୱର୍ରେ ୧୧୮ ଦିନ ଧରି ଶ୍ରମିକମାନେ ସପରିବାର ଅହୋରାତ୍ର ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରିନ୍ସପାଲ୍ ସେକ୍ରେଟାରୀ ଗତ ତା ୦୪-୦୧-୨୦୨୫ ରିଖ ଏକ ଦ୍ୱିପାକ୍ଷୀୟ ଆଲୋଚନା କରି ଏହି ସମସ୍ତ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ୱ ଦେଇଥିଲେ। କିନ୍ତୁ ଜିଲ୍ଲାପାଳ ସମସ୍ୟାର ସମାଧାନ ନକରି ଶ୍ରମିକମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପ୍ରଥମେ ଶ୍ରମିକ କଲୋନୀରେ ପାଣି ଓ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପରେ ଗତ ମାର୍ଚ୍ଚ ତା୨ ରିଖ ଭୋର୍ ୫ଟାରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ପୋଲିସ୍ ଧାରଣା ତମ୍ବୁକୁ ଭାଙ୍ଗିିବା ସହ ଧାରଣାରତ ଶ୍ରମିକ ଓ ପରିବାରବର୍ଗକୁ ଉଠାଇନେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଟକ ରଖିଥିଲେ ଓ ୩ଜଣ ଶ୍ରମିକନେତାଙ୍କୁ ମିଥ୍ୟା କେଶ୍ରେ ଗିରଫ କରି ଜେଲ୍ ପଠାଇଥିଲେ। ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଶ୍ରମିକ ତା’ର ଆଇନଗତ ପ୍ରାପ୍ୟ ଓ ପୁନଃନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଜିଲ୍ଲା ପ୍ରଶାସନର ଏପରି ଅଗଣତାନ୍ତ୍ରିକ ପଦକ୍ଷେପକୁ ଟି.ୟୁ.ଏ.ସି.ସି., ବାଲେଶ୍ୱର କଠୋର ଶବ୍ଦରେ ନିନ୍ଦା କରିବା ସହ ଗତ ମାର୍ଚ୍ଚ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ଦଳମତ ନିର୍ବିଶେଷରେ ବାଲେଶ୍ୱରର ସମସ୍ତ ବର୍ଗର ଜନପ୍ରତିନିଧି ଯୋଗଦେଇ ଏହି ଘଟଣାକୁ ନିନ୍ଦା କରିବା ସହ ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ସକାଶେ ବିରାଟ ପ୍ରତିବାଦ ଓ ଧାରଣା ପ୍ରଦର୍ଶନ କରାଯାଇ ଶ୍ରମିକମାନଙ୍କର ଦାବିକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା। ମାତ୍ର ସରକାର ଜିଲ୍ଲା ପ୍ରଶାସନ କିମ୍ବା ନୂତନ ମାଲିକ ଶ୍ରମିକମାନଙ୍କ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନନେଇ ନିଜ ମନମର୍ଜିରେ ବେଆଇନ୍ ଭାବେ ନୂତନ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ଶ୍ରମିକମାନଙ୍କ ଗଣତାନ୍ତ୍ରିକ ଅଧିକାର ଓ ଆଇନଗତ ଅଧିକାର ହାସଲ କରିବାକୁ ଟି.ୟୁ.ଏ.ସି.ସି., ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟର ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଗଣ କନ୍ଭେନ୍ସନ୍ ଚଳିତ ଏପ୍ରିଲ୍ ୧୦ ତାରିଖ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଦିନ ୧୦ଟାରେ ଅନୁଷ୍ଠିତ ହେବ ଏବଂ ସରକାର ଓ ନୂଆମାଲିକଙ୍କ ଠାରୁ ଉଚିତ ନ୍ୟାୟ ହାସଲ ପାଇଁ ଆଗାମୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସ୍ଥିର କରାଯିବ। ଏହି ଗଣ କନ୍ଭେନସନ୍ରେ ଅଧିକରୁ ଅଧିକ ଶ୍ରମିକ, କର୍ମଚାରୀ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଟ୍ରେଡ଼୍ ୟୁନିୟନ୍ମାନଙ୍କର କର୍ମକର୍ତ୍ତା, ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବୀ, ସାହିତ୍ୟିକ ଯୋଗଦେବାକୁ ମଙ୍ଗଳବାର ଅପରାହ୍ନରେ ପଢ଼ୁଆଁପଦା ସ୍ଥିତ ଉଠାଜଳସଚେନ କର୍ମଚାରୀ ଭବନରେ ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା, ଉପାଧ୍ୟକ୍ଷ ଶାନ୍ତନୁ ଦାସଙ୍କ ସମେତ ଭାଗବତ ପ୍ରତିହାରୀ, ପ୍ରେମରଂଜନ ପାତ୍ର, ଶ୍ୟାମସୁନ୍ଦର ଜେନା ଓ ଦୁକୁଲ ଚନ୍ଦ୍ର ଘଡ଼ାଇ ପ୍ରମୁଖ ନିବେଦନ କରିଛନ୍ତି।