ନାଟ୍ୟାନୁଷ୍ଠାନ ‘ଶୋଭା’ର ୧୦ମ ବାର୍ଷିକ ସମାବର୍ତ୍ତନ

ବାଲେଶ୍ୱର,(ସରୋଜ ପଣ୍ଡା): ଓଡ଼ିଶାର ଅନ୍ୟତମ ଆଲୋଡ଼ନ ସୃଷ୍ଟିକାରୀ ନାଟ୍ୟାନୁଷ୍ଠାନ ‘ଶୋଭା’ର ୧୦ମ ବାର୍ଷିକ ସମାବର୍ତ୍ତନ ଉତ୍ସବ ପାଳନ ଅବକାଶରେ ୨୭ତମ ନାଟ୍ୟାର୍ଘ୍ୟ ଯଶସ୍ୱୀ ନାଟ୍ୟକାର ଡକ୍ଟର ନାରାୟଣ ସାହୁଙ୍କ ରଚିତ ନାଟକ ‘ଉତ୍ତର ପୁରୁଷ’ ଏବଂ ଆଶିଷ ବର୍ଦ୍ଧନଙ୍କ ନିର୍ଦ୍ଦେଶନା ତଥା ଗୁରୁ ନନ୍ଦକିଶୋର ଦାସଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଥାନୀୟ ‘ଗାନ୍ଧିସ୍ମୃତି ଭବନ’ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ‘ଶୋଭା’ର ସଭାପତି ଶ୍ରୀଯୁକ୍ତ ବିନାୟକ ପ୍ରସାଦ ସାହୁଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ବିଶିଷ୍ଟ ନାଟ୍ୟକାର ଅଭିନେତା ଗୌରୀ ଶଙ୍କର ସାହାଣୀ, ସମ୍ମାନିତ ଅତିଥି ଭାବରେ ଅଭିନେତ୍ରୀ ସାମ୍ବାଦିକା ସୁମନା ପରିଡ଼ା ପ୍ରମୁଖଙ୍କ ଦ୍ୱାରା ୧୦ମ ବାର୍ଷିକ ସମାବର୍ତ୍ତନ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଉପସ୍ଥିତ ଅତିଥିବୃନ୍ଦ ନାଟ୍ୟସାହିତ୍ୟର ନିରବଚ୍ଛିନ୍ନ ବିକାଶ ଓ ଦିଗଦିଗନ୍ତ ସଂପର୍କିତ ବାଲେଶ୍ୱର ମାଟିରେ ‘ଶୋଭା’ ଅନୁଷ୍ଠାନର ଉତ୍କର୍ଷ ବର୍ଣ୍ଣନା କରିଥିଲେ। ଏହି ଅବସରରେ ନାଟ୍ୟଜଗତର ସୁନାମଧନ୍ୟ ନାଟ୍ୟକାର-ନିର୍ଦ୍ଦେଶକ ଇଂ. ଚିନ୍ମୟ ରକ୍ଷିତ୍‌ଙ୍କୁ ‘ଶୋଭା’ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଏହି ସମାବର୍ତ୍ତନ ଉତ୍ସବରେ ପ୍ରତିଭାସଂପନ୍ନ ଅଭିନେତା-ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ଘୋଷ ଅତିଥିମାନଙ୍କୁ ମଞ୍ଚଆହ୍ୱାନ ତଥା କୃତଜ୍ଞତା ଜ୍ଞାପନ କରିଥିଲେ।
ନାଟକ ‘ଉତ୍ତର ପୁରୁଷ’ ଅଂଶଗ୍ରହଣ କରିଥିବା ଶୁଭଙ୍କର, ଗୋବିନ୍ଦ ଦ୍ୱିବେଦୀ, ଆଷିଷ ବର୍ଦ୍ଧନ, ସୁରଜକାନ୍ତ, ଜଗନ୍ନାଥ, ତରୁଣ, ବୁଲୁ ଏବଂ ନାରୀ ଭୂମିକାରେ ମଧୁସ୍ମିତା, ସିତଲ୍‌, ବର୍ଷା ପ୍ରମୁଖ ଅଭିନୟ ଚମତ୍କାରିତା ପ୍ରଦର୍ଶନ କରିଥିଲାବେଳେ ମଂଚ ପରିଚଳାନାରେ ଇଂ. ଶ୍ରୀତମ୍ ସହଯୋଗ କରିଥିଲେ। ଆମ ସମାଜରେ ଅଦ୍ୟାବଧି ଅନ୍ଧବିଶ୍ୱାସର ପ୍ରାଦୁର୍ଭାବ କିପରି ସଂକୀର୍ଣ୍ଣମନା ସାଧାରଣ ମଣିଷମାନଙ୍କୁ ପଥଭ୍ରଷ୍ଟ କରିଚାଲିଛି – ଯାହାର ଜ୍ୱଳନ୍ତ ପ୍ରତିଫଳନ ପ୍ରୋକ୍ତ ନାଟକରେ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲାବେଳେ ସମାଜର ଉଦ୍ଭବ ଭଣ୍ଡବାବାମାନଙ୍କୁ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରାଯାଇଥିବାର ଅନ୍ତଃସ୍ୱର ନାଟ୍ୟଦ୍ରଷ୍ଟାଙ୍କୁ ପ୍ରଭାବିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ