କଟକ ନାଟ୍ୟୋତ୍ସବ ୨୦୨୫ ନିର୍ଣ୍ଣାୟକ ପର୍ଯ୍ୟାୟକୁ ଉନ୍ନୀତ ହେଲେ ୧୧ ଶିକ୍ଷାନୁଷ୍ଠାନ
କଟକ (ଓ୍ବାଇଏନଏସ): କଳା ପ୍ରତି ଛାତ୍ରଛାତ୍ରୀମାନଙ୍କର ଥିବା ବିଶେଷ ଆଗ୍ରହ ପ୍ରତିଫଳିତ ହୋଇଛି କଟକ ନାଟ୍ୟୋତ୍ସବ-୨୦୨୫ରେ । ନାଟକର ଏନ୍ତୁଡ଼ିଶାଳ କଟକରେ କେତେ ଯେ କଳାକାର ଲୁଚି ରହିଛନ୍ତି ସେମାନଙ୍କୁ ଆଗକୁ ଆଣିବାର ପ୍ରୟାସ ହେଉଛି କଟକ ନାଟ୍ୟୋତ୍ସବ-୨୦୨୫, ଯେଉଁଠାରୁ ଆଗାମୀ ପିଢୀର କଳାକାର ପ୍ରସ୍ତୁତ ହେବେ ବୋଲି ଚୟନ ପର୍ଯ୍ୟାୟର ଶେଷ ସନ୍ଧ୍ୟାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇ କହିଛନ୍ତି । ଚୟନ ପର୍ଯ୍ୟାୟରେ ମୋଟ ୧୧ ଟି ନାଟକ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ନାଟକଗୁଡିକ ମଧ୍ୟରେ ରହିଛି ରେଭେନସା ବିଶ୍ୱବିଦ୍ୟାଳୟର ବିଶ୍ୱାସଘାତକ, ମୋହନ ସୁବୁଦ୍ଧି ମହାବିଦ୍ୟାଳୟ,ବଡମ୍ବାର କଳାନନ୍ଦିନୀ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସକାଳର ଅପେକ୍ଷାରେ, ସାଲେପୁର ମହାବିଦ୍ୟାଳୟର ଶୂନ୍ୟତାରୁ ଅନ୍ଧାର ଆଡକୁ, ରାଧାନାଥ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ଼ ଷ୍ଟଡିଜର ନାଟକ ଶକ୍ତିଶ୍ରୀ, ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ନାଟକ ନାଁ ଟି ତାର ହେନା, ଖ୍ରୀଷ୍ଟ ମହାବିଦ୍ୟାଳୟର ଶେଷ ଇଛା, ରାଧାନାଥ ETEI ର ମୁଁ ଚାହେଁ ପରିବର୍ତ୍ତନ, ପିଲୁ ମୋଦୀ କଲେଜ ଅଫ ଆର୍କିଟେକଚରର ଠିକ କି ଭୁଲ, ଦ ଲ କଲେଜର ମୁକ୍ତି, ରଘୁନାଥଜୀଉ ଡିଗ୍ରୀ କଲେଜର ମୋ ପରିଚୟ । କାର୍ଯ୍ୟକ୍ରମରେ ଅଭିନେତା ଶ୍ରୀତମ ଦାସ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କୃତି ଅନୁଷ୍ଠାନଗୁଡିକର ନାମ ଘୋଷଣା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ନାଟ୍ୟ ବିଶେଷଜ୍ଞ ଶ୍ରୀକାନ୍ତ ଚୌଧୁରୀ, ଉମେଶ ଦାସ, ଦେବୁ ପଟ୍ଟନାୟକ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ବବି ଇସଲାମ ଓ ସନ୍ଦୀପ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଅକ୍ଟୋବର ୧୩ ତାରିଖରୁ କଟକ ନାଟ୍ୟୋତ୍ସବ ୨୦୨୫ ନିର୍ଣ୍ଣାୟକ ପର୍ଯ୍ୟାୟ ଅନୁଷ୍ଠିତ ହେବ ଏବଂ ସେଠାରୁ ବିଜେତାମାନଙ୍କୁ ଚୟନ କରାଯିବ। ଚାମ୍ପିଅନ୍ ଦଳକୁ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ସହ ଟ୍ରଫି, ପ୍ରଥମ ରନର୍ସ ଅପ୍ ଦଳକୁ ୭୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ଟ୍ରଫି ଏବଂ ଦ୍ୱିତୀୟ ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ । ଏହାବ୍ୟତୀତ ୭ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ସାନ୍ତ୍ୱନାମୂଳକ ଟ୍ରଫି ସହ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।


