୧୩ ପେଷାଦାର ଜୁଆଡ଼ି ଗିରଫ, ୧୯ଲକ୍ଷ ଟଙ୍କା ଜବତ

କଟକ (ଓ୍ବାଇଏନଏସ) : କଟକର ବଜ୍ରକବାଟି ରୋଡ୍‌ରେ ଥିବା ମହାବୀର ଗ୍ୟାଲାକ୍ସି ହୋଟେଲ୍‌ରେ, ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ କମିସନରେଟ୍‌ର ଏକ ଟିମ୍‌ ଚଢ଼ାଉ କରି ୧୩ଜଣ ପେଷାଦାର ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା, ସଂଖ୍ୟାଧିକ ମୋବାଇଲ୍‌ ଫୋନ୍‌, ଗାଡ଼ି ଚାବି, କାର୍‌ ଆଦି ଜବତ ହୋଇଥିଲା। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍‌ ଠାରୁ ଘଟଣା ସମ୍ପର୍କରେ ଗୁରୁବାର (୭ ମଇ)ସୂଚନା ଦିଆଯାଇଛି। ସୂଚନାନୁସାରେ, ହୋଟେଲ୍‌ର ୧୧୦ ନମ୍ବର ପ୍ରକୋଷ୍ଠରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଆଦି ଅଞ୍ଚଳରୁ ୧୩ଜଣ ପେଷାଦାର ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ- କଟକ ମଙ୍ଗଳବାଗର ହେମନ୍ତ କାହାଳୀ (୪୪), ଚିଣ୍ଟୁ ଦଳେଇ (୩୦) ଓ ତପନ ସେଠୀ (୪୬), କଟକ ମାଲଗୋଦାମ ଦାସସାହିର ଅଜିତ ଓଝା (୩୫), ବ୍ରହ୍ମପୁର କାଳୁପାତ୍ର ସାହିର ଶ୍ୟାମ ସୁନ୍ଦର ସାହୁ (୩୯), କଟକ ମାଲ୍‌ଗୋଦାମର କିଷ୍ଣା ରାଓ (୪୮), ବ୍ରହ୍ମପୁର ବଡ଼ବଜାରର ଏ ସନ୍ତୋଷ କୁମାର (୩୨), ଭଦ୍ରକ ପୁରୁଣାବଜାରର ରାମ ଚନ୍ଦ୍ର ବେହେରା, ଭଦ୍ରକ ମାଧବନଗରର ମନୋଜ କୁମାର ମହାନ୍ତି (୩୫), କଟକ ଚାଉଳିଆଗଞ୍ଜ ରଥ ଲେନ୍‌ର ରଙ୍‌ଗନାଥ ସାହୁ (୬୧), ଖୋର୍ଦ୍ଧା ଜଟଣୀ ଦେଉଳବସ୍ତର ମହେଶ୍ବର ସାନ୍ତା (୪୦), କଟକ ଶିଖରପୁର ଉପରସାହିର ଯୋଗେଶ୍ବର ରାଓ (୪୯), ପୁରୀ ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା ଓରଫ ଟୁଲୁ (୩୬)। ସେମାନଙ୍କ ନିକଟରୁ ୧୮ଲକ୍ଷ ୩୦ ହଜାର ୭୩୦ ଟଙ୍କା ନଗଦ, ୬୦ଟି ପ୍ଲାଷ୍ଟିକ୍ ଗୋଲାକାର ଟୋକେନ୍‌, ୧୦ଟି ବିଭିନ୍ନ ଯାନର ଚାବି, ୧୪ଟି ମୋବାଇଲ୍‌ ଫେଶନ୍‌, ୪ଟି ତାସ୍‌ ବଣ୍ଡଲ୍‌, ୨ଟି କାର୍‌ ସହ ୮ଟି ଗାଡ଼ି ଜବତ ହୋଇଛି। ଗିରଫ ହେମନ୍ତ କାହାଳୀ, କ୍ରିଷ୍ଣା ରାଓ, ଚିଣ୍ଟୁ ଦଳେଇ, ତପନ ସେଠୀଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ଇତିହାସର ବିବରଣୀ ନେଇ ଖୋଳତାଡ଼ ଚାଲିଥିବା ଜଣାଯାଇଛି। ଆଜି (ଗୁରୁବାର) ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ