ପୂର୍ବାଞ୍ଚଳ ମହିଳା ଟି-୨୦ ଦଳରେ ଓଡ଼ିଶାର ୩ ଖେଳାଳି, ଅନନ୍ୟା ମିଶ୍ର ଷ୍ଟାଣ୍ଡବାଏ

କଟକ, (ଓ୍ବାଇଏନଏସ): ବିସିସିଆଇର ଘରୋଇ କ୍ରିକେଟ୍ ଋତୁ ୨୦୨୬-୨୭ ପାଇଁ ଆୟୋଜିତ ହେବାକୁ ଥିବା ସିନିୟର ମହିଳା ଇଣ୍ଟର ଜୋନାଲ ଟି-୨୦ ଟ୍ରଫିରେ ଓଡ଼ିଶାର ଖେଳାଳିମାନେ ସୁଯୋଗ ପାଇଛନ୍ତି। ପୂର୍ବାଞ୍ଚଳ (ଇଷ୍ଟ ଜୋନ୍) ଦଳର ୧୫ ଜଣିଆ ଚୂଡ଼ାନ୍ତ ଦଳରେ ଓଡ଼ିଶାର ତନ୍ମୟୀ ବେହେରା, ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ ଶୁଭ୍ରା ଏନ୍. ସ୍ୱାଇଁ ସ୍ଥାନ ପାଇଛନ୍ତି। ସେହିପରି ଅନନ୍ୟା ମିଶ୍ରଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ମନୋନୀତ କରାଯାଇଛି।ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆସାମର ଗୁଆହାଟୀଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମନୋନୀତ ତନ୍ମୟୀ ବେହେରା ବ୍ୟାଟର୍ ଭାବେ ଦଳରେ ସ୍ଥାନ ପାଇଥିବାବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ଶୁଭ୍ରା ଏନ୍. ସ୍ୱାଇଁ ଅଲ୍‌ରାଉଣ୍ଡର୍ ଭାବେ ଦଳକୁ ପ୍ରତିନିଧିତ୍ୱ କରିବେ। ଏହା ସହିତ ଓଡ଼ିଶାର ମଧୁସ୍ମିତା ବେହେରାଙ୍କୁ ଇଷ୍ଟ ଜୋନ୍ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ଜି. ପୋଲାମାଙ୍କୁ ଦଳର ଶକ୍ତି ଓ ଶାରୀରିକ ସକ୍ଷମତା ପ୍ରଶିକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ଖେଳାଳି ଓ ପ୍ରଶିକ୍ଷକଙ୍କ ଏହି ମନୋନୟନକୁ ନେଇ ଓଡ଼ିଶା କ୍ରିକେଟ୍ ମହଲରେ ଖୁସି ପ୍ରକାଶ ପାଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ମନୋନୀତ ଖେଳାଳି ଏବଂ ସହାୟକ ପ୍ରଶିକ୍ଷକ ଦଳକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ