୩୨ତମ ରାଜ୍ୟସ୍ତରୀୟ ବିଲିୟାର୍ଡ୍ସ ଓ ସ୍ନୁକର ଚାମ୍ପିୟନସିପ୍ ଉଦ୍‌ଯାପିତ

କଟକ, (ଓ୍ବାଇଏନଏସ): ରାଜ୍ୟରେ ବିଲିୟାର୍ଡ୍ସ ଓ ସ୍ନୁକର କ୍ରୀଡ଼ାର ପ୍ରଚାରପ୍ରସାର ସହ ରାଜ୍ୟର ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ୩୨ତମ ଅଲ୍ ଓଡ଼ିଶା ବିଲିୟାର୍ଡ୍ସ ଓ ସ୍ନୁକର ଜୁନିୟର ଏବଂ ସିନିୟର ଷ୍ଟେଟ୍ ରାଙ୍କିଂ ଚାମ୍ପିୟନସିପ୍ ଉଦ୍‌ଯାପିତ ହୋଇଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୭୩ ଜଣ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ଉଭୟ ସିନିୟର ସ୍ନୁକର ଓ ବିଲିୟାର୍ଡ୍ସ ବିଭାଗରେ ଆଶୁତୋଷ ପାଢ଼ୀ ଚାମ୍ପିୟନ ହୋଇ ଡବଲ୍ ଟାଇଟଲ୍ ହାସଲ କରିଛନ୍ତି। ବିଲିୟାର୍ଡ୍ସ ଆଣ୍ଡ ସ୍ନୁକର ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନସିପ୍‌ର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରସ୍ଥିତ ୬ ପକେଟ୍ ସ୍ନୁକରଠାରେ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କଟକର ସିଡିଏ ସେକ୍ଟର-୧୦ସ୍ଥିତ ଗୋଲ୍ଡେନ୍ ସ୍ନୁକରଠାରେ ଆୟୋଜିତ ହୋଇଥିଲା। ସିନିୟର ସ୍ନୁକର ବିଭାଗରେ ଆଶୁତୋଷ ପାଢ଼ୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସୁବ୍ରତ ଦାସ ଦ୍ୱିତୀୟ ଓ ରାକେଶ ରୋଶନ ପ୍ରଧାନ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ସିନିୟର ବିଲିୟାର୍ଡ୍ସ ବିଭାଗରେ ମଧ୍ୟ ଆଶୁତୋଷ ପାଢ଼ୀ ଚାମ୍ପିୟନ ହୋଇଥିବାବେଳେ ସୁବ୍ରତ ଦାସ ଦ୍ୱିତୀୟ ଓ ବିଶେଷ ସିଙ୍ଘଲ ତୃତୀୟ ସ୍ଥାନ ହାସଲ କରିଥିଲେ। ମହିଳା ବିଭାଗରେ ଏନ୍. ଶୁଭାଙ୍ଗୀ ରାଓ ପ୍ରଥମ ଓ ଆନନ୍ଦିତା ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିୟର ସ୍ନୁକର/ବିଲିୟାର୍ଡ୍ସ ବିଭାଗରେ ବିଶେଷ ସିଙ୍ଘଲ ଚାମ୍ପିୟନ, ତ୍ରିବିକ୍ରମ ଗୁଇନ୍ ରନର୍ସ-ଅପ୍ ଏବଂ ଆଜଲାନ୍ ଅଲୀ ତୃତୀୟ ସ୍ଥାନ ହାସଲ କରିଥିଲେ। ଉଦ୍‌ଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ଆସୋସିଏସନ୍‌ର ସଭାପତି ତାର ରଞ୍ଜନ ପଟ୍ଟନାୟକ ଯୋଗଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଭିନ୍ନ ବର୍ଗର ଚାମ୍ପିୟନ ଓ ଉପବିଜେତାମାନେ ନିୟମିତ ଅଭ୍ୟାସ ଜାରି ରଖି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ସହ ସଫଳତା ହାସଲ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ସମାରୋହରେ ଆସୋସିଏସନ୍‌ର ସମ୍ପାଦକ ସମୀର ଅଲୀ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ତଥା ଏକ୍‌ଜିକ୍ୟୁଟିଭ୍ ଗୋବିନ୍ଦ ପ୍ରସାଦ ଶର୍ମା ଏବଂ ଜି.କେ. ସ୍ନୁକର କାଫେ କ୍ଲବ୍‌ର ମାଲିକ ଜ୍ଞାନ ରଞ୍ଜନ ବେହେରା ଉପସ୍ଥିତ ଥିଲେ। ଖେଳାଳିମାନଙ୍କ ଉପସ୍ଥିତିରେ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଚାମ୍ପିୟନସିପ୍ ରାଜ୍ୟର ଅଭିଜ୍ଞ ଓ ଉଦୀୟମାନ ଖେଳାଳିଙ୍କୁ ଏକ ମଞ୍ଚରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବାବେଳେ ଆଗାମୀ ଦିନରେ ଜାତୀୟସ୍ତରରେ ଓଡ଼ିଶାର ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ