ବେଦ ପ୍ରଚାର ସମିତିର ୫୧ କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବେଦ ହେଉଛି ସମଗ୍ର ମାନବ ଜାତିର ଜ୍ଞାନ, ବିଜ୍ଞାନ ଓ ନୈତିକ ଜୀବନର ମୂଳ ଆଧାର। ବେଦର ଶିକ୍ଷା ମଣିଷକୁ ଅନ୍ଧବିଶ୍ୱାସ, ଅଜ୍ଞାନ ଓ ସଂକୀର୍ଣ୍ଣତାରୁ ମୁକ୍ତ କରି ସତ୍ୟର ମାର୍ଗରେ ଅଗ୍ରସର ହେବାକୁ ପ୍ରେରଣା ଦିଏ। ଈଶ୍ୱର ଏକ ଓ ସେ ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା। ତେଣୁ ସମଗ୍ର ମାନବ ସମାଜ ମଧ୍ୟରେ ଭ୍ରାତୃଭାବ, ପରୋପକାର, ସହିଷ୍ଣୁତା ଓ ବିଶ୍ୱକଲ୍ୟାଣର ଭାବନା ଜାଗ୍ରତ କରିବା ହେଉଛି ବୈଦିକ ଜୀବନଦର୍ଶନର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତବ୍ୟକ୍ତ କରିଛନ୍ତି। ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ୍‌ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଲିବ୍ରେସନ୍ ହଲ୍‌ଠାରେ ଆୟୋଜିତ ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମକୁ ଶନିବାର ଉଦ୍‌ଘାଟନ କରି ସ୍ୱାମୀଜୀ ଏହି ମତ ରଖିଥିଲେ। ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ଓ ବୈଦିକ କାର୍ଯ୍ୟକ୍ରମ ଚାଲିବ। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ପ୍ରକୃତିପ୍ରେମୀ ଶ୍ରୀ ସୁବାସ ଚନ୍ଦ୍ର ମହାରଣା ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ଶ୍ରୀ କେ. ଅର୍ଥ ସଚିବ ପାତ୍ର ଅତିଥି ଓ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଉଭୟ ଅତିଥି ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସାଦର ସ୍ୱାଗତ ଜଣାଇଥିଲେ।
ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ଉପସଭାପତି ବିଷ୍ଣୁ ପ୍ରସାଦ ମୁନିଙ୍କ ସମେତ ପ୍ରମୁଖ ସଦସ୍ୟ ଆର୍‌. ମୋହନ ରେଡ୍ଡୀ, ବସନ୍ତ କୁମାର ଚୌଧୁରୀ, ସଞ୍ଜୟ କୁମାର ଜେନା, ରାଜେଶ୍ୱର ସୁବୁଦ୍ଧି, ବାବୁଲା ଶୁକ୍ଳା, ଅନୀତା ପାତ୍ର, ଜୟପ୍ରଭା ମହାନ୍ତି ଓ ଟି. ବବିତା ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ୪୦୦ରୁ ଊର୍ଦ୍ଧ୍ୱ ବେଦପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ୨୩ ଓ ୨୪ ତାରିଖ ଦିନ ସକାଳ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୫୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ ବୈଦିକ ଜ୍ଞାନ ଓ ଯଜ୍ଞର ଆଧ୍ୟାତ୍ମିକ ମହତ୍ତ୍ୱ ଉପଲବ୍ଧି କରିବାକୁ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ