ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି
ଛତ୍ରପୁର, (ଦେବଦତ୍ତ ମହାରଣା) :ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗମାନଙ୍କ ମଙ୍ଗଳକର ନିମନ୍ତେ ପ୍ରତ୍ୟେକ ସୋମବାର ଦିନ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣୀର ଆୟୋଜନ କରି ସେମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ପ୍ରୟାସ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମାସର ପ୍ରଥମ ସୋମବାରଠୁ ଡିଆରଡିଏ ସ୍ଥିତ ଜଉଗଡସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ଶୁଣାଣିର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଉପସ୍ଥିତ ରହି ମୋଟ ୪୬ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଭିଯୋଗକୁ ଶୁଣିଥିଲେ । ସେଥିରୁ ୪ ଜଣଙ୍କ ଆଶୁ ସମାଧାନ କରି ଲେପଟାପ୍, ଓି୍ୱଲ୍ଚେୟାର ଏବଂ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରିଥିଲେ । ବାକି ୪୨ ଜଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଶିବିରକୁ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଡି.ପଦ୍ମା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସୁଧାଂଶୁ ଶେଖର ତ୍ରିପାଠୀ, ମୁରଲୀ ବେହେରା, ପ୍ରଜ୍ଞା ଆଚାରୀ ଓ ଗୋପିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।