ଆଜି ଠାରୁ ଆରମ୍ଭ ବନ ମହୋତ୍ସବ ସପ୍ତାହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଜୁଲାଇ ମାସ ୧ ତାରିଖରୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇଥାଏ । ବନ ମହୋତ୍ସବର ଲକ୍ଷ୍ୟ ହେଉଛି ଆମ ଦେଶର ଜନସାଧାରଣଙ୍କୁ ଜଙ୍ଗଲ ସୃଷ୍ଟି କରିବା ପାଇଁ ସଚେତନ କରାଇବାର ପର୍ବ । ଯେଉଁ ମହତ୍ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବୃକ୍ଷରୋପଣକୁ ଏକ ମହୋତ୍ସବ ନାମରେ ନାମିତ କରାଯାଇଥିଲା, ସେ ଉଦ୍ଦେଶ୍ୟ ବାସ୍ତବ କ୍ଷେତ୍ରରେ ସଫଳ ହେଉନାହିଁ । ସରକାର ଏ ଦିଗରେ ଯେତିକି ଅର୍ଥ ବ୍ୟୟ କରନ୍ତି ସେଥିରୁ ମୁଖ୍ୟ ଭାଗ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପକେଟ୍‌କୁ ଚାଲିଯାଉଛି । ତତ୍ ସହିତ ମାନବୀୟ ହସ୍ତକ୍ଷେପ ଯୋଗୁଁ ଆଜି ବଣ ବୃକ୍ଷଶୂନ୍ୟ ହେବାରେ ଲାଗିଛି । ରାତି ପାହିଲେ ବିକାଶ ନାଁ ରେ ବଣକୁ ବଳି ପକାଯାଉଛି । ଯଦ୍ୱାରା ଜଳବାୟୁର ଜ୍ୱାଳା ଭୋଗୁଛନ୍ତି ଜନସାଧାରଣ । ବଣରେ ଖାଦ୍ୟ ଅଭାବ ଯୋଗୁଁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ଯାହାକୁ ନେଇ ବନ ମହୋତ୍ସବ ଦିବସରେ ଚିନ୍ତା ପ୍ରକଟ କରିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ । ଏ ନେଇ ଜନସଚେତନତା ଉଦ୍ଦେଶ୍ୟରେ ଏକ ଗଛର ଚିତ୍ର ଆଙ୍କି ‘ଷ୍ଟପ୍ ଡିଫରେଷ୍ଟେସନ’ ଲେଖି ଅର୍ଥାତ୍ ଜଙ୍ଗଲ କ୍ଷୟ ସର୍ବପ୍ରଥମେ ବନ୍ଦ ହେଉ ବୋଲି କହିଛନ୍ତି । ସୁଶାନ୍ତ କୁହନ୍ତି ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରତି ୫ ସେକେଣ୍ଡରେ ଫୁଟବଲ୍ ପିଚ୍ ଆକାର ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ପୂର୍ବ ଦିନ ତୁଳନାରେ ବର୍ତ୍ତମାନ ୧୦ ଗୁଣା ଜଙ୍ଗଲ ନଷ୍ଟ ହେଉଥିବା ୱାର୍ଲ୍ଡ ରିସୋର୍ସ ଇନ୍‌ଷ୍ଟିଚ୍ୟୁଟ (ଡବ୍ଲୁ.ଆର୍‌.ଆଇ) ପକ୍ଷରୁ କୁହାଯାଇଛି । ବ୍ରାଜିଲ୍‌ରେ (୪୩%) ଚିରହରିତ ଅରଣ୍ୟ କ୍ଷୟ ହେଉଥିବା ବେଳେ ରିପବ୍ଲିକ୍ ଅଫ୍ କଙ୍ଗୋରେ (୧୩%), ବୋଲିଭିଆରେ (୯%) ଜଙ୍ଗଲ କ୍ଷୟ ହେଉଛି । ସେହିପରି ପେରୁ (୩.୯%), ମୋଲାମ୍ବିଆ (୩୧ %), ଲାଓସ୍ (୨.୩%), କାମେରୁନ୍ (୧.୯%), ପପୁଆ ନ୍ୟୁ ଗିନିଆ (୧.୮%) ଏବଂ ମାଲେସିଆରେ (୧.୭%) ଆଦି ଚିରହରିତ୍ ଅରଣ୍ୟ ଧିରେ ଧିରେ କ୍ଷୟ ହେବାରେ ଲାଗିଛି । ଯାହା ଏକ ବଡ଼ ସମସ୍ୟା ରୂପେ ଠିଆ ହୋଇଛି । ବନସୃଷ୍ଟି ଦିଗରେ ପ୍ରଥମେ ଜନସାଧାରଣଙ୍କର ଆନ୍ତରିକ ସହଯୋଗ ଏକାନ୍ତ କାମ୍ୟ । ଏହାକୁ ଏକ ଜାତୀୟ କର୍ତ୍ତବ୍ୟ ଜ୍ଞାନ କରି ବନ୍ୟ ସମ୍ପଦ ଓ ବନ୍ୟଭୂମି ରକ୍ଷା ନିମନ୍ତେ ସମସ୍ତେ ଅଣ୍ଟାଭିଡି ଆଗେଇ ଆସିବା ଦରକାର ବୋଲି ଶ୍ରୀ ସାହୁ ଆଶା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ