ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା କବାଡି ଦଳରେ ଆସିକାର ୬ ଛାତ୍ରୀ
ଆସିକା (ୱାଇଏନ୍ଏସ୍) : ଛତିଶଗଡ ରାଜ୍ୟର ବିଳାସପୁର ସ୍ଥିତ ଡଃ ସିଭିରମଣ ବିଶ୍ୱବିଦ୍ୟାଳୟ ପରିସରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଖେଳିବା ଲାଗି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା କବାଡି ଦଳରେ ଆସିକାର ୨ଟି ଅତି ପୁରାତନ ମହାବିଦ୍ୟାଳୟରୁ ୬ ଜଣ ଛାତ୍ରୀ ସାମିଲ୍ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ତଥା ପ୍ରତିଭାବାନ୍ କ୍ରୀଡାବିତ୍ କବାଡି ଖେଳାଳୀ ବି.ମନିଷା ରେଡୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା କବାଡି ଦଳର ଅଧିନାୟିକା ଭାବେ ମନୋନୀତ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ଛାତ୍ରୀ କିରଣ ପୃଷ୍ଟି, ରାଧାରାଣୀ ସ୍ୱାଇଁ, ଜିନୁ ଗୌଡ, ଅଙ୍କିତା ମହାନ୍ତି ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ଚାନ୍ଦିନୀ ପ୍ରଧାନ ବିଳାସପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା କବାଡି ଦଳରେ ସାମିଲ୍ ହୋଇ ଛତିଶଗଡ ରାଜ୍ୟର ବିଳାସପୁର ସ୍ଥିତ ଡଃ ସିଭିରମଣ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଖେଳିବା ଲାଗି ମନୋନୀତ ହୋଇଥିବା ୬ ଜଣ ଛାତ୍ରୀଙ୍କୁ ଆସିକା ଆଥ୍ଲେଟିକ୍ ଏସୋସିଏସନ୍ ଟାଉନହଲ୍ର ସଭାପତି ଦିଲୀପ କୁମାର ପାଣିଗ୍ରାହୀ, ସଂପାଦକ ଏମ୍.ତାରିଣୀ ସେନାପତି, କ୍ରୀଡାବିତ୍ ଏମ୍.ରାମବାବୁ ରେଡି, ଲିଙ୍ଗରାଜ ପଣ୍ଡା, ଚିତ୍ତରଂଜନ ଆଚାର୍ଯ୍ୟ, ବୀର ମିଶ୍ର, କୈଳାଶ ଚନ୍ଦ୍ର ଗୌଡ, ଚିନା ରେଡି, ମଦନ ମୋହନ ବାଡତ୍ୟା, ଇନ୍ଦିରା ଦାଶ, ବର୍ଷାରାଣୀ ରଥ, ନବଘନ ବାଡତ୍ୟା, ଚନ୍ଦ୍ରଶେଖର ଦାଶ, ଚନ୍ଦ୍ରକାଳ ସାହୁ, ଉଦୟ ମାଝୀ, ଗୋପାଳକୃଷ୍ଣ ମହାରଣାଙ୍କ ସମେତ ବହୁ କ୍ରୀଡାବିତ୍ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଥିବା ଜଣାପଡିଛି ।