ପରଲୋକରେ ନିକ୍ଷେପକ ମଧୁସୂଦନ ମଲିକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନିକ୍ଷେପକ ମଧୁସୂଦନ ମଲିକ ୫୮ବର୍ଷ ବୟସରେ ଇହଳୀଳା ସମ୍ବରଣ କରିଛନ୍ତି । ଗତ ମେ ୧୭ ତାରିଖ ଶୁକ୍ରବାର ସଂଧ୍ୟାରେ ଅଫିସ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କ ପୈତୃକ ଘର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଖଣ୍ଡସାହି ଗ୍ରାମ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲର ଟ୍ରମା କେୟାର ୱାର୍ଡ଼ର ଆଇସିୟୁ ବେଡ୍ ନମ୍ବର ୧ ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳ ୭.୩୦ ମିନିଟ୍ ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ୩୦ ତାରିଖରେ ସେ ନିକ୍ଷେପକଭାବେ କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ । ସେ ଏହା ପୂର୍ବରୁ ଭୁବନେଶ୍ୱର ଏବଂ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କେନ୍ଦ୍ରାଂଚଳ ଉପ-ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଏବଂ ବିଭାଗୀୟ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ସହ ତାଙ୍କ ପୈତୃକ ବାସଭବନରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କ ସରଳ ଓ ଅମାୟିକ ବ୍ୟବହାର, କର୍ତ୍ତବ୍ୟନିଷ୍ଠାର ସ୍ମୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରିବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ