ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୪୩ ଟି ଅଭିଯୋଗ ପଂଜିକୃତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଅନୁପମ୍ ଶାହା ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୪୩ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୭ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୩୬ଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୨ଟି, ଆବାସ ଯୋଜନା ସଂପର୍କୀୟ ୮ଟି, ଜମିଜମା ସମସ୍ୟା ସଂପର୍କୀୟ ୭ଟି, ଥାନା ସମ୍ବନ୍ଧୀୟ ୧ଟି, ପେନସନ ସମ୍ବନ୍ଧୀୟ ୧ଟି ଏବଂ ଅନ୍ୟାନ୍ୟ ୧୫ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୨ଟି ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମଧ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବର୍ଷା ହେଲେ ତଳିଆ ଅଂଚଳ ଯଥା ତିରୁଣା, ଡାବର, ଜାମୁଗାଁ, ନାଉଗାଁ, କୋରୁଅ, ଘୋଡାଂଶ, ରୋହିଆ ଆଦି ଚାଷ ଜମିରୁ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇ ପାରୁନାହିଁ । ତେଣୁ ଚାଷୀମାନେ ଚାଷ କାର୍ଯ୍ୟ କରିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ସଙ୍ଗଠନର ଜିଲ୍ଲା ସହସଂପାଦକ ଅଶୋକ ସ୍ୱାଇଁ ଅଭିଯୋଗ କରିଥିଲେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ବିଲଲ କରାଯାଉନଥିବାରୁ ପଂଚାୟତର ସରପଂଚ ଓ ସମିତି ସଭ୍ୟମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଜାମୁଗାଁ ପଂଚାୟତରେ ଚାଲିଥିବା ଅରାଜକତା ଓ ବେଆଇନ କାରାବାର ଉପରେ କାର୍ଯ୍ୟାନୁଷ୍ଠାନ ଓ ନାଉଗାଁ ତହସିଲରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ଅମିନ ପଦବୀକୁ ପୁରଣ କରିବା ପାଇଁ ଅଭିଯୋଗ କରିଥିଲେ । ସେହିପରି ନନ୍ଦିଗ୍ରାମର ଦିଲ୍ଲିପ ପାଢୀ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ ବିଭାଗରୁ ନଡିଆ ଚାରା ରୋପଣ କରିଥିବା ବେଳେ ତାଙ୍କୁ ସହୟତା ମିଳି ନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ ମନରେଗା ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କ ଉପରେ ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘୋଡାଂଶ ପଂଚାୟତର ନିରୋଦ ସ୍ୱାଇଁ ଅମ୍ଫାନ ଯୋଜନାରେ କାର୍ଯ୍ୟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଲ ପାଇ ପାରୁ ନଥିବା ଅଭିଯୋଗ କରିଥିଲେ, ଅଭିଯୋଗ ଶୁଣାଣି ପରେ ପଂଚାୟତର ବିଭାଗୀୟ ଯନ୍ତ୍ରୀଙ୍କୁ ଜୋରିମାନା ପ୍ରଦାନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ବିକାଶ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଶ୍ମିରଂଜନ ସାହୁ, ବିଡିଓ ତପନ କୁମାର ମହାପାତ୍ର, ତହସିଲଦାର ଶୁଭାଶୀଷ ପରିଡା, ଜିଲା ପରିଷଦ ସଭ୍ୟା ଅମିତା ସ୍ୱାଇଁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ