ଭାରତ ରକ୍ଷା ମଞ୍ଚ ଓଡ଼ିଶା ଶାଖା ପକ୍ଷରୁ ୧୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ସନ୍ଧ୍ୟାରେ ସ୍ଥାନୀୟ ନୟାପଲ୍ଲୀ ସ୍ଥିତ ନିର୍ମାଲ୍ୟ ସଭାଗୃହରେ ଭାରତ ରକ୍ଷା ମଞ୍ଚର ୧୫ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । ମଞ୍ଚର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ରାଷ୍ଟ୍ରୀୟ ପ୍ରଭାରୀ ଡ଼ଃ ଅଶୋକ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ଭାରତ ରକ୍ଷା ମଞ୍ଚ ଗଠନର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋକପାତ କରି ଡଃ ଆଚାର୍ଯ୍ୟ ଏହି ମଞ୍ଚର ପ୍ରତିଷ୍ଠାତା ସୂର୍ଯ୍ୟକାନ୍ତ କେଲେକର୍ ଙ୍କର ରାଷ୍ଟ୍ର ସୁରକ୍ଷା ଓ ଭାରତରେ ଥିବା ହିନ୍ଦୁଙ୍କ ଭବିଷ୍ୟତ ପ୍ରତି ଦୂରଦୃଷ୍ଟିର ଅବତାରଣା କରିଥିଲେ । ଦେଶରେ ବଢ଼ୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା କିଭଳି ରାଷ୍ଟ୍ରର ଆନ୍ତରିକ ସୁରକ୍ଷା ନିମନ୍ତେ ଏକ ଆହ୍ୱାନ ଏବଂ ସେ ସଂପର୍କରେ ଭାରତ ରକ୍ଷା ମଞ୍ଚ କରିଥିବା ସମାଧାନର ପନ୍ଥା ଉପରେ ଡଃ ଆଚାର୍ଯ୍ୟ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ । ଦେଶରେ ଅନ୍ୟୁନ ପାଞ୍ଚରୁ ଛଅ କୋଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ରୋହିଂଗ୍ୟାମାନେ ବସବାସ କରୁଛନ୍ତି ଏବଂ ସେମାନେ କ୍ରମାଗତ ଭାବରେ ଅନେକ ଦୁଷ୍କର୍ମ ଓ ଅପରାଧ ସହ ଜଡ଼ିତ ଅଛନ୍ତି ବୋଲି କହିଥିଲେ । ସ୍ଥାନୀୟ ରାଜନେତାଙ୍କ ସହଯୋଗରେ ସେମାନେ ଆଧାର ଓ ଭୋଟର୍ କାର୍ଡ ହାତେଇଲା ପରେ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ପ୍ରକାର ଯୋଜନାର ଲାଭାର୍ଥୀ ହେବା ସହ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏକ ଆହ୍ୱାନ ପାଲଟିଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ଭୋଟର୍ ତାଲିକାରୁ ନାଁ କାଟିବା ସହ ସେମାନଙ୍କ ମୂଳସ୍ଥାନକୁ ପଠେଇ ଦେବାର ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହାରାଷ୍ଟ୍ରର ପୂର୍ବ ଇନ୍ସପେକ୍ଟର ଜେନେରାଲ ସୁବ୍ରତ କୁମାର ମିଶ୍ର ମହୋଦୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ରୋହିଂଗ୍ୟା ଓ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଯେଭଳି ବିପଦ ସୃଷ୍ଟି କରିଛନ୍ତି ତାହା ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଅବସରପ୍ରାପ୍ତ ସେନା ଅଧିକାରୀ ନାରାୟଣ ମହାନ୍ତି ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତର ଅବଦାନ ସହ ନିଜର ଯୁଦ୍ଧରେ ଉପସ୍ଥିତିର ଅନୁଭୂତି ପ୍ରଦାନ କରିଥିଲେ । ଭାରତ ରକ୍ଷା ମଞ୍ଚର ବରିଷ୍ଠ କର୍ମୀ ବିଷ୍ଣୁ ଚରଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ହେଉଥିବା ଅବୈଧ ଗୋଚାଲାଣ ଓ ନିଶାଦ୍ରବ୍ୟ ଚାଲାଣ ବେଳେ ଏହି ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରମୁଖ ଭୂମିକା ନେଇଛନ୍ତି ବୋଲି ମଞ୍ଚରେ ଉଦବେଗ ପ୍ରକାଶ ପାଇଥିଲା । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ରାଜଧାନୀକୁ ରୋହିଂଗ୍ୟାମୁକ୍ତ କରିବା ପାଇଁ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଯୋଜନା ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ପୁରଞ୍ଜନ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ରକ୍ଷା ମଞ୍ଚ ଓଡ଼ିଶା ଶାଖାର ସଭାପତି ମନୋଜ ଆଚାର୍ଯ୍ୟ, ଭେଟେରାନ୍ ବିଦ୍ୟାଧର ନାୟକ, ବିଶିଷ୍ଟ ସାହିତ୍ୟିକା ଡଃ ସୁନୀତି ମୁଣ୍ଡ୍, ବିଶ୍ୱ ହିନ୍ଦୁ ପରିଷଦର ମହାନଗର ଜିଲ୍ଳା ସାଧାରଣ ସଂପାଦକ ଶୁଭ୍ରାଂଶୁ ଶେଖର ଶତପଥୀ, ଯୋଗଗୁରୁ ଡଃ ବିଶ୍ୱରଞ୍ଜନ ରଥ, ଡଃ ସଞ୍ଜୀବ ପଣ୍ଡା, ଜଗନ୍ନାଥ ପଟ୍ଟନାୟକ, ସୁଶାନ୍ତ କୁମାର ମିଶ୍ର, ଧୃବାନନ୍ଦ ବାରିକ୍, ଜ୍ୟୋତିରଞ୍ଜନ ଚୌଧୁରୀ, ଦେବବ୍ରତ ମହାନ୍ତି, ଦେବୀ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ । ଏହା ହିଁ ଚିରନ୍ତନ ସତ୍ୟ ଯେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏବଂ ସାମ୍ବିଧାନିକ ରୂପେ ଏହାକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିବା ପାଇଁ ମଞ୍ଚର ପ୍ରତିବଦ୍ଧତା ଦୋହରା ଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ