ଆଜି ଠାରୁ ଆରମ୍ଭ ବନ ମହୋତ୍ସବ ସପ୍ତାହ ନିଜ ପାଇଁ ଗଛଟିଏ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜିଠାରୁ ଆରମ୍ଭ ବନ ମହୋତ୍ସବ ସପ୍ତାହ । ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଥାଏ । ନୂତନ ଜଙ୍ଗଲ ସୃଷ୍ଟି ଓ ଧ୍ୱଂସ ପ୍ରାପ୍ତ ବନର ନବୀକରଣ ହିଁ ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ନିଖୁଣ ଭାବରେ ଆଙ୍କିଛନ୍ତି ସବୁଜ ସଂକଳ୍ପର ଏକ ନିଆରା ଚିତ୍ର । ଚିତ୍ର ମାଧ୍ୟମରେ ‘ନିଜ ପାଇଁ ଗଛଟିଏ’ର ବଳିଷ୍ଠ ବାର୍ତ୍ତା ସମଗ୍ର ବିଶ୍ୱକୁ ଦେଇଛନ୍ତି । ଏ ସମ୍ପର୍କରେ ସେ କୁହନ୍ତି ଆମେ ଯଦି ଜଣେ ଜଣେ ଗୋଟିଏ ଲେଖାଏଁ ଗଛ ଲଗାଇବା ତେବେ ବିଶ୍ୱରେ ଦେଖା ଦେଇଥିବା ଜଳବାୟୁର ଜ୍ୱାଳା ଓ ବିଶ୍ୱ ତାପନରୁ ମୁକୁଳି ପାରିବା । ଏତଦ୍ ସହ ଗଛଟିଏ ଆମକୁ ଅନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଆସିଥାଏ । ବୃକ୍ଷ ଯୋଗୁଁ ବର୍ଷା ହୁଏ । ବର୍ଷା ଯୋଗୁଁ ଫସଲ ଉତ୍ପାଦିତ ହୋଇଥାଏ । ଦେଶ ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା ହେବା ସଙ୍ଗେ ସଙ୍ଗେ ସଭ୍ୟତା ଓ ସଂସ୍କୃତିରେ ବିକାଶ ଓ ପରିବେଶ ସୁରକ୍ଷାରେ ବେଶ୍ ସହାୟକ ହୋଇଥାଏ । ଆସନ୍ତୁ ଏ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆମେ ସମସ୍ତେ ମିଳିମିଶି ନିଜ ବାଡ଼ି ବଗିଚାରେ ହେଉ କି ସର୍ବସାଧାରଣରେ ଥିବା ଖାଲି ସ୍ଥାନରେ ଅନ୍ତତଃ ନିଜ ପାଇଁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ସଂକଳ୍ପ ନେବା ଲାଗି ଏହି ଅବସରରେ ଜନସାଧାରଣଙ୍କୁ ଶାନ୍ତନୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ