ସେ ସେବା କରେ ସେବା ପାଏନି

ଦିପ୍ତିମୟୀ ନାୟକ
ସେ ମା’ ହୋଇ ପିଲାଙ୍କ ଭବିଷ୍ୟତ ଗଢେ | ଭଉଣୀ ହୋଇ ଭାଇର ସୁରକ୍ଷାକବଚ ହୁଏ | ବାପ-ମା’ଙ୍କର ଅଲିଅଳି ଝିଅ ହେବା ସହ ଶାଶୁଘର ସୁନାନାକୀ ବୋହୂ ହୋଇଥାଏ | ଆଉ ଏହି ସୁନାନାକୀ ବୋହୂ ସେ ସେତେବେଳେ ହୋଇଥାଏ ଯେତେବେଳେ ଝିଅର ବାପ ଝିଅର ଶାଶୁଘରକୁ ମନଲାଖି ଯୌତୁକ ସହ ଯଦି ପୁଳା ପୁଳା ଟଙ୍କା ଦେଇଥାଏ | ଆଉ ଯଦି ଝିଅର ବାପଘର ଝିଅ ବିବାହବେଳେ ଝିଅକୁ ଯଦି ଯୌତୁକ ଦେଇନଥାନ୍ତି ତେବେ ସେ ଝିଅ ଶାଶୁଘରେ ସୁନାନାକୀ ବୋହୂ ହୋଇନୁହେଁ ଅଲକ୍ଷଣୀର ଆଖ୍ୟା ପାଇ ଶାଶୁଘରେ ଦିନ କାଟୁଥାଏ | ସମୟେ ସମୟେ ରାତି ପାହିଲେ ଖବର କାଗଜରେ ନାରୀ ନିର୍ଯ୍ୟାତନା, ବଧୂ ହତ୍ୟା, ଶାଶୁ ବୋହୂ ଝଗଡାର କୁପରିଣାମକୁ ମଧ୍ୟ ଦେଖିବାକୁ ମିଳିଥାଏ | ତେବେ ଯୁଗ ଯେତେ ପରିବର୍ତ୍ତନ ହେଲେବି ଆଜିବି ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଯୌତୁକ ଜୁଇରେ ଅନେକ ନିରୀହ ଜୀବନକୁ ବଳୀ ପକାଉଛନ୍ତି | ଏହାର ପ୍ରମୁଖ କାରଣ ହେଲା ମଣିଷ ଭିତରେ ଥିବା ଲୋଭ ହିଁ ଅନର୍ଥର କାରଣ ହେଲାଣି | ଭଲ ପରିବାର ଚୁନା ହେବା ସହ ଶାଶୁ ବୋହୂ ସମ୍ପର୍କରେ ଫାଟ ସୃଷ୍ଟି ହେଲାଣି | ଆମ ସମାଜ ଆଉ ସାମାଜିକ ବ୍ୟବସ୍ଥାକୁ ଆଖି ଆଗରେ ରଖି ଯଦି ଆମେ କହିବା ଆଜିର ନାରୀ ଆଉ ନିର୍ଯ୍ୟାତିତ ହେଉନି ତେବେ ସେହିମାନଙ୍କୁ ମଧ୍ୟ ଗୋଟେ କଥା ଯଦି ଆଜିର ନାରୀ ନିର୍ଯ୍ୟାତନାର ଶିକାର ହେଉନି ତେବେ କାହିଁକି ସେ ନିଜ ଜୀବନ ହାରୁଛି କିମ୍ବା କାହିଁକି ତା ଜୀବନ ଆଉ କିଏ ନେଉଛି | ଆଜିବି ଅନେକ ଜାଗାରେ ନାରୀଟିଏ ଅବହେଳିତ ଅବସ୍ଥାରେ ଅଛି | ନାରୀଟିଏ ଭାବେ ପରିବାରଟାକୁ ସଜାଡି ରଖିବ କିନ୍ତୁ ଅନ୍ୟଜଣେ ନାରୀ ସେହି ପରିବାରକୁ ଭାଙ୍ଗି ଦେଇଥାଏ | ଯିଏ ପରିବାରର ମଙ୍ଗଳ ଚିନ୍ତାକରେ ତାକୁ ହିଁ ସବୁବେଳେ ନିନ୍ଦା, ଅପବାଦ, କଷ୍ଟ, ଯନ୍ତ୍ରଣା ମିଳିଥାଏ | ଯଦି ପ୍ରତ୍ୟେକ ପରିବାରରେ ପ୍ରତ୍ୟେକଟି ନାରୀ ଅନ୍ୟ ଏକ ନାରୀକୁ ସହଯୋଗ କରିବେ ତେବେ ନିଶ୍ଚିନ୍ତ ଭାବରେ ସେହି ସୁନାନାକୀ ବୋହୂ ସୁନାର ସଂସାର ଗଢ଼ିବ | ଯଦି ଗୋଟେ ନାରୀ ହୋଇ ଅନ୍ୟଜଣେ ନାରୀର ଭାବନାକୁ ବୁଝିବନି ତେବେ ପରିବାରରେ ଅଶାନ୍ତି ଖେଳିଯିବ | ନାରୀଟିଏ ଯେତେବେଳେ ଅନ୍ୟମାନଙ୍କର ସେବା କରେ ସେ ସେତେବେଳେ କେବେବି ଆଶା ରଖେନି ତାର କିଏ ସେବା କରୁ | ତା ଦେହ ଅସୁସ୍ଥ ଥିଲେ ମଧ୍ୟ ସେ ଅନ୍ୟର ପସନ୍ଦ ଉପରେ ଧ୍ୟାନ ଦେଇ ଅନ୍ୟର ମନ ପସନ୍ଦ ଖାଇବା ହେଉ କି ଅନ୍ୟକୁ ସାହାଯ୍ୟ କରିବା ହେଉ ସେ ସବୁବେଳେ ଆଗରେ ଥାଏ କିନ୍ତୁ ତାକୁ କଣ ମିଳେ ତାକୁ ତ କେବଳ ନିନ୍ଦା | ଆଉ ଯଦି ନିନ୍ଦା ବଦଳରେ ଟିକେ ପ୍ରଶଂସା ମିଳିବା ସହ ଟିକେ ଭଲପାଇବା ମିଳିଯାଆନ୍ତା ତେବେ ଆଜିର ନାରୀ ଆଉ ନିଜକୁ ଅବହେଳିତ ମନେ କରନ୍ତାନି କି ରାତି ପାହିଲେ କୋର୍ଟ କଚେରୀରେ ନାରୀ ନିର୍ଯ୍ୟାତନାର ନୂଆ ଏକ ଫର୍ଦ ଲେଖା ହୁଅନ୍ତାନି | ତେବେ ଆଜିବି ଅନେକ ପରିବାର ରହିଛି ଯେଉଁ ପରିବାରରେ ଗୋଟେ ବୋହୂ ଝିଅଭଳି ଚଳୁଛି କିନ୍ତୁ ଏହି ସମାଜର ଲୋକମାନେ କୁହନ୍ତି ବୋହୂକୁ କଣ ଏମିତି ରଖିବା କଥା ତାକୁ ଆକଟ ଶାସନ କର ମୁହଁ ବଢିଆ ଦିଅନି ନହଲେ ସେମାନେ ତମ ମୁଣ୍ଡ ଉପରେ ଚଢ଼ିଯିବେ କିନ୍ତୁ ସେତେବେଳେ କାହିଁକି କୁହନ୍ତୁନି ଯେଉଁ ବୋହୂ ତାଙ୍କର ସେବା କରେ ସେମାନେ କଣ ବୋହୂର ସେବା କରନ୍ତି ଯଦି କରନ୍ତିନି ତେବେ ବୋହୂକୁ କାହିଁକି ଝିଅଭଳି ରଖିବେନି | କିଛିଟା ହୀନମାନସିକତା ଲୋକଙ୍କ ପାଇଁ ହସିଲା ସଂସାର ଦୁଃଖରେ ବୁଡି ଯାଇଥାଏ | ଯେଉଁମାନେ ଅନ୍ୟ ଶିକ୍ଷାରେ ପଡି ନିଜ ବୋହୂକୁ ଘରର ଅଲକ୍ଷଣୀ ସଜେଇ ଦିଅନ୍ତି ସେହି ବୋହୂ ହିଁ ଶାଶୁଶଶୁର ମଲାବେଳେ ମୁହଁରେ ପାଣି ଦିଏ ନା କି ଅନ୍ୟଲୋକମାନେ ତାଙ୍କ ମଲାବେଳେ ତାଙ୍କ ମୁହଁରେ ପାଣି ଦିଅନ୍ତି ତେଣୁ କାହା କଥାରେ ନୁହେଁ ନିଜେ ଯେମିତି ନିଜ ପରିବାରକୁ ସମ୍ଭାଳି ରଖିବ ନିଜ ପରିବାର ସେମିତି ରହିବ | ବୋହୂବି ତାର କର୍ତ୍ତବ୍ୟ ନିଷ୍ଠାର ସହ କରିବ ନଚେତ ସେହି ବୋହୂ ତମକୁ ଅଣଦେଖା କରିବ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ