ଥରୁଛି ଶିମିଳିପାଳ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଛୁଇଁଲା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଶୀତର ପ୍ରକୋପରେ ପ୍ରବଳ ଜାଡରେ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଥରୁଛି। ଥଣ୍ଡା ପ୍ରବଳ ଅନୁଭୂତ ହେଉଥିବା ବେଳେ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଏଥିରୁ ଶିମିଳିପାଳ ଅଭୟାରଣ୍ୟ ବର୍ତ୍ତି ପାରିନାହିଁ। ବିଗତ ୨-୩ ଦିନ ଧରି ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶୁକ୍ରବାର ରାତିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ଶିମିଳିପାଳ ଅଭୟାରଣ୍ୟର ପର୍ବତ ମାଳାର ଅନେକ ସ୍ଥାନରେ ପ୍ରବଳ ଜାଡ କାରଣରୁ ଶୁକ୍ରବାର ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ, ଲତା ମାନଙ୍କ ଉପରେ ପଡିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାର ପାତର ଭ୍ରମ ସୃଷ୍ଟି କରିଛି। ପାରଦ ଖସିବା ସହିତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି। ଶିମିଳିପାଳ ଅଭୟାରଣ୍ୟର ଉପର ବାରାହା କାମୁଡାରେ ସର୍ବନିମ୍ନ ୩ଡିଗ୍ରୀ, ଚହଲା ୪ଡିଗ୍ରୀ, ନୱଣା ୬ଡିଗ୍ରୀ, ବରେହିପାଣି ୭ଡିଗ୍ରୀ, ରାମତୀର୍ଥ ୧୦ଡିଗ୍ରୀ, ଗୁଡୁଗୁଡିଆ ୭ଡିଗ୍ରୀ ଓ କିଆଝରିରେ ୧୨ଡିଗ୍ରୀ ସେଲସିୟସ ତାପମାତ୍ରା ଶୁକ୍ରବାର ସକାଳ ୬ ସମୟ ମଧ୍ୟରେ ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ