ବିଜେପି ସରକାରକୁ ଆସିଲେ ଏସ୍ଏସ୍ଜି ମହିଳାମାନଙ୍କ ଋଣ ଛାଡ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାରକୁ ଆସିଲେ ଏସଏସଜି ମହିଳାମାନଙ୍କ ଋଣ ଛାଡ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ ବୋଲି ସୁନ୍ଦରଗଡ, ବଣାଇ, ତଳସରା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳିରେ ରବିବାର ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ବିଜେପି ସରକାର ଆସିଲେ ସୁନ୍ଦରଗଡ ଅଂଚଳର ବିସ୍ଥାପନ ସମସ୍ୟାକୁ ସମାଧାନ କରାଯିବ, ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଥିବା ଡିଏମ୍ଏଫ୍ ପାଣ୍ଠିକୁ ଖର୍ଚ୍ଚ କରାଯିବ । ସେହିପରି ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଦେବା ସହ ପକ୍କା ଘର ନିର୍ମାଣ କରାଯିବ, ପେସା ଆଇନକୁ କଡାକଡି ପାଳନ କରାଯିବ, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦିଆଯିବ, ଯୁବକଙ୍କୁ ରୋଜଗାର ଓ ସ୍ୱରୋଜଗାର ଦିଆଯିବ, ୧୫ ବର୍ଷ ତଳେ ଥିବା ଝିଅ ମାନଙ୍କ ସହ ଅତ୍ୟାଚାର କରୁଥିବା ଲୋକଙ୍କୁ ଫାଶି ଦଣ୍ଡ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ଖର୍ଚ୍ଚ କରାଯିବ, ୧ ଲକ୍ଷ କୋଟି ଟଙ୍କାରେ ଓଡିଶାର ଗ୍ରାମାଂଚଳର ବିକାଶ କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ମିଳିବ, +୨ ପାସ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ମୋଟ ୫୦ ହଜାର ଟଙ୍କାର ବ୍ୟବସ୍ଥା କରାଯିବ, ୬୦ ବର୍ଷ ପରେ ଶ୍ରମିକ ମାନଙ୍କୁ ୩ ହଜାର ଟଙ୍କାର ପେନସନ ଦିଆଯିବାର ବ୍ୟବସ୍ଥା କରାଯିବ, ଅଙ୍ଗନବାଡି କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହାୟିକାଙ୍କ ଦରମା ମାସିକ ୯ ହଜାର ଟଙ୍କା ଦିଆଯିବ, ବ୍ଲକଗ୍ରାଂଟ, ପାରାଟିଚର, ଶିକ୍ଷା ସହାୟକଙ୍କୁ ସରକାରୀ ଶିକ୍ଷକରେ ପରିଣତ କରାଯାଇ ସ୍ଥାୟୀ ଦରମା ଦିଆଯିବ, ସବୁ ସରକାରୀ ପଦବୀକୁ ଆଗାମୀ ୨ ବର୍ଷ ମଧ୍ୟରେ ପୂରଣ କରାଯିବ, ୱାନ୍ ଡିଷ୍ଟିକ୍ଟ ୱାନ୍ ପ୍ରଡକ୍ଟ ଆଧାରରେ ତଥା ଗୋଟିଏ ଜିଲ୍ଲାରୁ ଗୋଟିଏ ଉତ୍ପାଦିତ ଜିନିଷ ବାହାର କରାଯିବ, ସବୁ ଅସ୍ଥାୟୀଙ୍କୁ ସ୍ଥାୟୀ ନିଯୁକ୍ତି, ମାନଧନର ବ୍ୟବସ୍ଥା କରାଯିବ, ଚିଟଫଣ୍ଡ ଓ ଖଣି ଚୋରଙ୍କୁୁ ଜେଲ ପଠାଯିବ । ଏ ଅଂଚଳରେ ବର୍ଷ ବର୍ଷ ଧରି ବିସ୍ଥାପିତ ଲୋକମାନେ ଅଛନ୍ତି । ସୁପ୍ରିମକୋର୍ଟରୁ କେସ୍ ଜିତିବା ପରେ ଅପାରଗ ନବୀନ ବାବୁ ସୁପ୍ରିମକୋର୍ଟର ନିଷ୍ପତିକୁ କୋଇଲା କମ୍ପାନୀ ଉପରେ ଲଦିପାରୁ ନାହାଁନ୍ତି । କାରଣ ଏଠାକାର ଜନପ୍ରତିନିଧିମାନେ କୋଇଲା କମ୍ପାନୀ ପାଖରେ ମୁଣ୍ଡ ବିକ୍ରି କରିଛନ୍ତି । ତେବେ ଗରିବ ଲୋକଙ୍କ କଥା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ପାରଙ୍ଗମ । ମୁଖ୍ୟମନ୍ତ୍ରୀ ଟଙ୍କିକିଆ ଚାଉଳର ମିଛ ନାଁ ନେଉଛନ୍ତି । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ମିଳିବ । ଓଡିଶାରେ ୨୫ଟି ଜିଲ୍ଲାରେ ଶିଶୁ ମାନଙ୍କ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବା ବେଳେ ଏହାର ଦାୟିତ୍ୱ ବିଜେପି ନେବ ବୋଲି କହିଛନ୍ତି । ମୋଦି ଥିବା ପର୍ଯ୍ୟନ୍ତ ଭାରତବର୍ଷର ଜଣେ ବି ଗରିବ ଲୋକର ସ୍ୱାର୍ଥକୁ ବଳି ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡିଶା ପାଇଁ କଣ କଲେ ତାହାର ହିସାବ ଦେଉନାହାନ୍ତି । ଅନ୍ୟପଟେ ମୋଦି ୫ ବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବା ପରେ ସୁନ୍ଦଗରଡ ଜିଲ୍ଲା ଭଳି ଖଣି ଖାଦାନ ଅଂଚଳରେ ପ୍ରଥମ ଥର କରି ଓଡିଶାର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ର ବ୍ୟବସ୍ଥା କଲେ । ଓଡିଶାରେ ବିଗତ ୪ ବର୍ଷରେ ସାଢେ ୬ ହଜାର ଟଙ୍କା ଡିଏମ୍ଏଫରେ ଥିବା ବେଳେ ଏହି ପଇସାକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି ଅଭିଯୋଗ କରିଛନ୍ତି । ଓଡିଶାର ଚାବିକାଠି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯ ବର୍ଷ ହେବ ଅଛି । ଲମ୍ବା ସମୟର ଶାସନ ପରେ ମଧ୍ୟ ମା’ଭଉଣୀଙ୍କ ପାଇଁ ପିଇବାକୁ ପାଣି ମୁନ୍ଦେ ନାହିଁ, ସ୍କୁଲରେ ଶିକ୍ଷକ ନାହାଁନ୍ତି, ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ୨୪ ଘଂଟା ବିଜୁଳି ନାହିଁ, ରୋଜଗାରର ଉପଲବ୍ଧ ନାହିଁ, ପସା ଆଇନରେ ସବୁ ଆଦିବାସୀଙ୍କୁ ଜମି ଅଧିକାର ମିଳିନାହିଁ, ଓଡିଆ ଯୁବକଙ୍କୁ ରୋଜଗାର ନଦେଇ ନବୀନ ବାବୁ ଖଣି ମାଫିଆଙ୍କୁ ରୋଜଗାର ଦେଇଛନ୍ତିା ଏଥିରେ ନବୀନ ବାବୁ ଦିଲ୍ଲୀର ଚାବିକାଠି ନିଜ ପାଖରେ ରଖିବା କଥା କହୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୌଳିକ ବ୍ୟବସ୍ଥା ନକରି ନରେନ୍ଦ୍ର ମୋଦି ଓଡିଶା ପାଇଁ କଣ କଲେ ବୋଲି ପ୍ରଶ୍ନ ପଚାରୁଛନ୍ତି । ମୋଦିଙ୍କ ସରକାରରେ ଓଡିଶାରେ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଯାଇଛି, ଦେଢ କୋଟି ଜନଧନ ଆକାଉଂଟ ଖୋଲାଯାଇଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୧୦ ଲକ୍ଷ ପକ୍କା ଘର ଦିଆଯାଇଛି, ୫୦ ଲକ୍ଷ ଘରେ ଶୌଚାଳୟ ବନିଛି, ୪୦ ଲକ୍ଷ ଘରେ ମାଗଣାରେ ଉଜ୍ଜଳା ଯୋଜନାରେ ଗ୍ୟାସ ଲାଗିଛି, ଡିଏମ୍ଏଫ୍, ରାସ୍ତା, ରେଳ ଓ ଅନ୍ୟ ବିଭାଗରେ ଓଡିଶାର ବିକାଶ ପାଇଁ ମୋଟ ସାଢେ ୫ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ମୋଦି ୧୮ ଘଂଟା ପରିଶ୍ରମ କରୁଥିବା ବେଳେ ନବୀନ ବାବୁ ୧୦ ପାଉଣ୍ଡ ଚାଲିପାରୁନାହାନ୍ତି କହି କଟାକ୍ଷ କରିଛନ୍ତି । ପ୍ରଭାକରନ ଓ ନାଣ୍ଡିଆନ ମିଶି ଓଡିଆ ଲୋକଙ୍କୁ ନଣ୍ଡା କରିବା ପାଇଁ ବସିଛନ୍ତି । ଓଡିଆ ଲୋକଙ୍କୁ ବୋକା ବନାଇ ଟଙ୍କା ଲୁଟ କରିବା ସେମାନେ ଭାବୁଛନ୍ତି । ସେମାନେ ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବାକୁ ଆସିଛନ୍ତି ବୋଲି ପ୍ରଧାନ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ ପଚାରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଚିନ୍ତା କାହିଁକି । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ, ପ୍ରଭାକରନ୍ । ସାଢେ ୪ କୋଟି ଓଡିଆ ଲୋକ ବିଜେପିର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ଓଡିଶାରେ କଳିଙ୍ଗ ଯୁଦ୍ଧ ହୋଇଥିଲା । କଳିଙ୍ଗ ଯୁଦ୍ଧରେ ରାଜା କେହି ନଥିଲେ, ଓଡିଆ ଜାତି ମହାପ୍ରତାପି ଅଶୋକ ସହ ଯୁଦ୍ଧ କରି ଅଶୋକଙ୍କୁ ପରାଜୟ କରିଥିଲା ଏବଂ ନୈତିକତାର ବିଜୟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଲୁଟ, ମାରପିଟ କରିବା ପାଇଁ ସାହାରା ଦରକାର, କିନ୍ତୁ ଓଡିଆ ଲୋକଙ୍କୁ ଏହାର ଆବଶ୍ୟକତା ନାହିଁ । ରାହୁଲ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପରି ନବୀନ ବାବୁ ଦେଶରେ ଅସ୍ଥିର ସରକାର ଚାହୁଁଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ