ସାଧାରଣତନ୍ତ୍ର ଦିବସ ସମାରୋହ ୨୦୨୦ ପୁରସ୍କାର ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ମଙ୍ଗଳବାର ଦିଲ୍ଲୀ କ୍ୟାଂଟନମେଂଟସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସାଧାରଣତନ୍ତ୍ର ଦିବସ ସମାରୋହ ୨୦୨୦ ପୁରସ୍କାର ପ୍ରଦାନ କରିଛନ୍ତି । ଜାନୁଆରୀ ୨୬, ୨୦୨୦ରେ ରାଜପଥରେ ଆୟୋଜିତ ପରେଡରେ ଅଂଶଗ୍ରହଣ କରିଥିବା ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢ଼କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଓଡିଶାର ପ୍ରଜ୍ଞାପନ ମେଢ଼ ଚଳିତ ଥର ଦ୍ୱିତୀୟ ସ୍ଥାନରେ ରହି ପୁରସ୍କାର ହାସଲ କରିଛି । ଏଥର ଓଡିଶା ପକ୍ଷରୁ ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ପ୍ରଜ୍ଞାପନ ମେଢ଼ରେ ସ୍ଥାନ ଦିଆଯାଇଥିଲା । ଷଷ୍ଠ ଶତାଦ୍ଧୀରେ ନିର୍ମିତ ଏହି ମନ୍ଦିରରେ ଭଗବାନ ଶିବଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ଏକତ୍ର ପୂଜା କରାଯାଇଥାଏ । ଓଡିଶାର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟସ୍ଥାନ ହାସଲ କରିଥିବାରୁ ରାଜ୍ୟବାସୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରଜ୍ଞାପନ ମେଢର ସ୍ଥପତି ଗଜେନ୍ଦ୍ର ସାହୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଥିଲା । ଏଥିରେ ଆସାମକୁ ଅଭିନବ କାରିଗରୀ ଓ ସଂସ୍କୃତିର ଭୂମି ଭାବେ ପ୍ରଦର୍ଶୀତ କରାଯାଇଥିଲା । ଉତରପ୍ରଦେଶର ପ୍ରଜ୍ଞାପନ ମେଢ଼ ଓଡିଶା ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏଥିରେ “ସର୍ବ ଧର୍ମ ସମଭାବ” ବିଷୟବସ୍ତୁକୁ ନେଇ ରାଜ୍ୟକୁ ସାଂସ୍କୃତିକ ଏବଂ ଧାର୍ମୀକ ପର୍ଯ୍ୟଟନସ୍ଥଳୀ ଭାବେ ଦର୍ଶାଯାଇଥିଲା ।


