ସିଦ୍ଧୁଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ ୭୨ ଘଣ୍ଟାର କଟକଣା, କରିପାରିବେନି ପ୍ରଚାର
ନୂଆଦିଲ୍ଲୀ(ଏଜେନ୍ସି): ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ସମସ୍ୟା ସୃଷ୍ଟି କରିବାରେ ମାହିର ପଞ୍ଜାବ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ଛାଟ ବାଜିଛି । ମଙ୍ଗଳବାର ନିର୍ବାଚନ ଆୟୋଗ ସିଦ୍ଧୁଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଇଛନ୍ତି । ଏଥିସହ ଏହି ସମୟରେ ସେ କୌଣସି ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଧର୍ମକୁ ଆଧାର କରି ଭୋଟ୍ ଦେବା ପାଇଁ ଅପିଲ୍ କରିବା ଅଭିଯୋଗରେ ତାଙ୍କ ଉପରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ସକାଳ ୧୦ଟାରୁ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ସେ କୌଣସି ସଭାସମିତି, ପ୍ରଚାର କିମ୍ବା ସାଧାରଣରେ ଭାଷଣବାଜି କରିପାରିବେ ନାହିଁ । ସୂଚନାଯୋଗ୍ୟ, ଗତ ୧୬ତାରିଖରେ ବିହାରର କଟିହାର ଜିଲ୍ଲାର ବରାରି ଏବଂ ବରଶୋଇରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ବିଜେପି ବିରୋଧରେ ଭୋଟ୍ ଦେବାକୁ ସିଦ୍ଧୁ ଅପିଲ କରିଥିଲେ । ସିଦ୍ଧୁ କହିଥିଲେ ‘ବିଜେପି ତୁମମାନଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଏଆଇଏମ୍ଆଇଏମ୍ ଏଠି ପ୍ରଥମଥର ପାଇଁ ପ୍ରାର୍ଥୀ ଦେଇଛି । କିନ୍ତୁ ମୁସଲମାନ ଭୋଟରମାନେ ଏକଜୁଟ୍ ହୋଇ କଂଗ୍ରେସକୁ ସମର୍ଥନ କରିବା ଉଚିତ୍ ।’ ସୂଚନାଥାଉ କି, ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିବାଦୀୟ ମନ୍ତବ୍ୟ ଦେଇ ବହୁ ନେତା ଏପ୍ରକାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦଣ୍ଡିତ ହୋଇସାରିଛନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ, ବିଏସ୍ପି ସୁପ୍ରିମୋ ମାୟାବତୀ, ବିଜେପି ନେତ୍ରୀ ମାନେକା ଗାନ୍ଧିଙ୍କ ଭଳି ପ୍ରମୁଖ ନେତୃବୃନ୍ଦଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଇସାରିଛି ।


