ପାଉଚ ପାଣି ପିଇ ରୋଗ କିଣୁଛନ୍ତି ଲୋକେ : ପ୍ରଶାସନ ନିରବଦ୍ରଷ୍ଟା
ହିଂଜିଳିକାଟୁ, (ଶେଷଦେବ ସାହୁ): ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ସହରର ତାପମାତ୍ରା ୪୧ଂ ହେଲାଣି । ଅସହ୍ୟ ଗରମ ଯୋଗୁଁ ଲୋକେ ବ୍ୟତିବସ୍ତ । ଯେତେକାମ ଥିଲେ ମଧ୍ୟ ଖରାତାତି ଯୋଗୁଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଏପରିସ୍ଥଳେ ଯେଉର୍ମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଶୋଷ ହେଲେ ସାଧାରଣତଃ ଥଣ୍ଡା ପାଣି ଉପରେ ନିର୍ଭର କରୁଛନ୍ତି । ଏହାର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ ବିନା ଲାଇସେନ୍ସରେ ପାଉଚ ପାଣି ପ୍ୟାକେଟ ତିଆରି କରି ବିକିବାରେ ଲାଗିପଡ଼ୁଛନ୍ତି । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ସହରକୁ ପ୍ରତ୍ୟେହ ସ୍ଥାନୀୟ ସହରବାସୀ ସମେତ ନିକଟବର୍ତି ୪୦ ରୁ ଉଦ୍ଧ୍ୱର୍ ଗ୍ରାମର ଛୋଟବଡ଼ ବ୍ୟବସାୟୀ ମାନେ ବେପାର ବଣିଜ କରିବାକୁ ଆସିଥାନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କମ୍ ଖର୍ଚ୍ଚରେ ନିଜର ତୃଷା ମେଂଟାଇବା ସକାଶେ ପାଣି ପାଉଚ ବ୍ୟବହାର କରିଥାନ୍ତି । ଗତ ଗାନ୍ଧିଜୟନ୍ତି ଠାରୁ ହିଂଜିଳିକାଟୁ ପୌରାଂଚଳରେ ପାଣି ପାଉଚ ବିକ୍ରିରେ ରୋକ ଲଗାଯାଇଥିଲେ ମଧ୍ୟ ବହୁ ଲାଭଖୋର ବ୍ୟବସାୟୀ ଲୁଚାଛପାରେ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ପାଣି ପାଉଚ ବସ୍ତା (୧୦୦ ପାଉଚ ବିଶିଷ୍ଟ) ହୋଲସେଲ ଦରରେ ୮୦ ଟଙ୍କାରେ କିଣି ପାଉଚ ପିଛା ୨ ଟଙ୍କାରେ ବିକ୍ରି କରୁଥିବାରୁ ଅଧିକ ଲାଭ ଆଶାରେ ବ୍ୟବସାୟୀ ମାନେ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଯେଉଁ ପାଉଚ ପାଣି ପିଉଚୁ ତାହା କେତେ ଶୁଦ୍ଧ ତା’ର ଗୁଣବତା ଜାଣିବା ପାଇଁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ । ସ୍ଥାନୀୟ ପୌରାଂଚଳରେ ପାଣି ପାଉଚ ବିକ୍ରି ଉପରେ ରୋକ ଲଗରାଯିବାର କିଛି ମାସ ସ୍ଥାନୀୟ ପୌରପ୍ରଶାସନ ପକ୍ଷରୁ ବିଭିନ୍ନବ୍ୟବସାୟିକ ଅନୁଷ୍ଠାନ ଉପରେ ତୀକ୍ଷଣ ଦୃଷ୍ଟି ଦିଆଯିବା ସହ ଚଢାଉ କରାଯାଇ ବିପୁଳ ପରିମାଣରେ ପାଉଚ ପାଣି ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଇଥିଲା । କିନ୍ତୁ ପରବର୍ତି ସମୟରେ ସ୍ଥାନୀୟ ପୌରପ୍ରଶାସନ ସମ୍ପୁଣ୍ଣ ସ୍ଥାଣୁ ପାଲଟି ଯାଇଥିଲା । ଯଦ୍ୱାରା ବେପାରୀ ମାନେ ପୁଣି ଥରେ ନିଜ ନିଜର ପାଉଚ ପାଣି ବେପାର ଜମାଇ ଦେଇଥିବାର ଦେଖିବାକୁ ମିଳୁଛି । ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ବିନା ଲାଇସେନ୍ସରେ ବହୁ ବେଆଇନ ଭାବେ ପାଣି ପାଉଚ କାରଖାନା ଗଢି ଉଠିଥିବା ଜଣାପଡ଼ିଛି । ଉକ୍ତ କାରଖାନା ଗୁଡ଼ିକରେ ପ୍ରକୃତରେ ଯେଉଁ ପ୍ରଣାଳୀରେ ଯେତେଥର ବିଶୋଧିତ ହୋଇ ପାଉଚ ପାଣି ପ୍ରସ୍ତୁତହେବା କଥା ତାହା ହେଉନାହିଁ । ଯେଉଁ ପ୍ଲାଷ୍ଟିକ ପ୍ୟାକେଟରେ ପାଣି ଭର୍ତି କରାଯାଉଛି ତାହା ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର, ପ୍ୟାକିଂ ତାରିଖ କେତେ, ବ୍ୟାଚ ନମ୍ବର, ଆଇଏସଆଇ ମାର୍କ, ଅବଧି ଶେଷ ତାରିଖକେତେ ଜାଣିବାର କାହାର ଆଗ୍ରହ ନାହିଁ । ଅନେକ ସମୟରେ ପାଉଚ ପାଣି ଭିତରେ ମଇଳା ଭାସୁଥିବା ଦେଖିବାକୁ ମିଳୁଥିବା ବେଳେ ଗରମ ଯୋଗୁଁ ରସାୟନିକ ପ୍ରତିକ୍ରିୟା ହୋଇ ଗନ୍ଧ ବାହାରୁଛି । ଯାହାର ପରିଣାମ ସ୍ୱରୁପ ପେଟରୋଗ ସମେତ କାମଳ(ଜଣ୍ଡିସ)ଭଳି ନାନା ଭୟଙ୍କର ରୋଗ ହେବାର ସମ୍ଭାବନା ରହିଛି । ବଜାରରେ ବିକ୍ରି ହେଉଥିବା ଅଧିକାଂଶ ପାଣି ପାଉଚରେ ପ୍ରାୟତଃ ଆଇଅସଆଇ ମାର୍କା ନଥିବାର ଦେଖିବାକୁ ମିଳୁଛି । ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାବାକୁ ସାଧାରଣରେ ଦାବୀ ହେଉଛି ।