କିନ୍ନର ସଂଘର ରାଜ୍ୟ ସଭାପତି ପାରଳା ସୁରଭି ପାର୍ଲର ପରିଦର୍ଶନ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସହରକୁ ଓଡିଶା ରାଜ୍ୟ କିନ୍ନର ସଂଘର ସଭାପତି ମୀରା ପରିଡା ଗସ୍ତରେ ଆସିଥିବା ଜଣାପଡିଛି । ସେ ମଙ୍ଗଳବାର ସନ୍ଧ୍ୟା ୫ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେଥିବା ‘ସୁରଭୀ’ ପାର୍ଲରକୁ ପରିଦର୍ଶନ କରିଥିଲେ । ଏହି ସୁରଭୀ ପାର୍ଲର ପାରଳାଖେମୁଣ୍ଡିର କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ପାର୍ଲର ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ସୁଲଭ ଦରରେ ୨୪ଘଣ୍ଟିଆ ଚା, ଜଳଖିଆ, ଜୁସ ଇତ୍ୟାଦି ମିଳିଥାଏ । ଏହି ପାର୍ଲର ପରିଦର୍ଶନ କରିବାପରେ ରାଜ୍ୟ ସଭାପତି ମୀରା ପରିଡା ଅତ୍ୟନ୍ତ ଆନନ୍ଦିତ ହୋଇ ଏଠାକାର କିନ୍ନର ମାନଙ୍କୁ ଏଭଳି ଭାବେ ଥଇଥାନ ସହ ଆର୍ଥିକ ଉପାର୍ଜନରେ ସାହାଯ୍ୟ କରି କିନ୍ନରମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପ୍ରଥମ ଉଦ୍ୟମ ଓ ପ୍ରଚେଷ୍ଟା କରି ସମସ୍ତ ସହେଯାଗ କରିଥିବା ଗଜପତି ଏସପି ସାରା ଶର୍ମାଙ୍କୁ ଭୁୟଶୀ ପ୍ରଶଂସା କରିଥିଲେ । ସେ ଏହି ପାର୍ଲର ଉନ୍ନତି କାମନାକରି ୨୧ଶହ ଟଙ୍କାର ନଗଦ ରାଶି ମଧ୍ୟ ପ୍ରଦାନ କରିଥିଲେ । ଏହିପରି ପାର୍ଲର ଅନ୍ୟାନ୍ୟ ସ୍ଥାନରେ ଖୋଲାଯାଇ କିନ୍ନର ମାନଙ୍କୁ ଥଇଥାନ କରାଯାଇ ପାରିଲେ ସେମାନେ ଉପକୃତ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିଜସ୍ୱ ଉଦ୍ଦ୍ୟେମ ଏବଂ ପ୍ରଚେଷ୍ଟା ଦ୍ୱାରା କିନ୍ନରମାନଙ୍କୁ ଥଇଥାନ କରିବା ଉଦ୍ଦ୍ୟେଶରେ ଏହି ପାର୍ଲର ଖୋଲାଯାଇଥିଲା ।


