ଜଙ୍ଗଲକୁ ଯାଉ ନାହାଁନ୍ତି ହାତୀପଲ ରାତ୍ରରେ ଓଡିଶା ରାତି ପାହିଲେ ଆନ୍ଧ୍ରରେ ଆତଙ୍କ

ପାରଳାଖେମୁଣ୍ଡି -(ତାରିଣୀ ପ୍ରଶାଦ ପଣ୍ଡା) ଗଜତି ଜିଲ୍ଲାର ଆନ୍ଧ୍ର ଓଡିସା ସୀମାନ୍ତ ଅଞ୍ଚଲରେ ହାତୀପଲ ବର୍ତ୍ତମାନ ଆତଙ୍କର କାରଣ ହୋଇଛନ୍ତି । ରାତ୍ର ସମୟରେ ହାତୀମାନେ ଗଜପତି ଜିଲ୍ଲାର ବିଭିନ୍ନ ତୋଟା,ଜଙ୍ଗଲ ଓ ଗ୍ରାମାଞ୍ଚଳ ନିକଟରେ ଅବସ୍ଥାନ କରୁଥିବା ବେଳେ ରାତି ପାହିଲେ ହାତୀମାନେ ଆନ୍ଧ୍ରକୁ ମହେନ୍ଦ୍ରତନୟା ନଦୀ ଦେଇ ପ୍ରବେଶ କରୁଛନ୍ତି । ଏଥିନେଇ ଆନ୍ଧ୍ର-ଓଡିଶା ବନ ବିଭାଗ ନୟାନ୍ତ ହୋଇଥିବା ବେଳେ ଉଭୟ ଓଡିଶା-ଆନ୍ଧ୍ରର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ କିଛି ମାସ ହେବ ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଅମରା ଓ ଏହାକୁ ଲାଗି ରହଥିବା ଆନ୍ଧ୍ର ସୀମାନ୍ତର ରାଟିଣୀ ଗ୍ରାମଠାରେ ହାତୀପଲ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଦିନ ତମାମ ଏହି ହାତୀପଲ ଆନ୍ଧ୍ର ପ୍ରଦେଶର କିଛି ଗ୍ରାମରେ ବୁଲୁଥିବା ବେଲେ ରାତିରେ ରାଟିଣୀ-ଅମରା ସୀମାନ୍ତବର୍ତ୍ତୀ ଓଡିଶାକୁ ପ୍ରବେଶ କରୁଛନ୍ତି । ସେମାନେ ଓଡଶାର ମହେନ୍ଦ୍ରତନୟା ନଦୀରେ ଗାଧୋଇବା ସହ ପାନୀୟଜଳ ପିଇ ପୁଣି ସକାଳୁ ଆନ୍ଧ୍ର ମୁହାଁ ହେଉଛନ୍ତି । ଓଡିଶା-ଆନ୍ଧ୍ର ସୀମାନ୍ତ ମହେନ୍ଦ୍ରତନୟା ନଦୀ କୁଳ ଓ ଜଙ୍ଗଲ ଅଞ୍ଚଳ ଛାଡିବା ଏମାନେ ନୀଁା ନେଉ ନାହାଁନ୍ତି । ତେବେ ଏହିଘଟଣା ଉଭୟ ରାଜ୍ୟର ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି । ଅଧିକାଂଶ ସମୟ ଏହି ହାତୀପଲ ମହେନ୍ଦ୍ରତନୟା ନଦୀ କୂଳରେ ରହୁଥିବା ବେଳେ ଅଳ୍ପ କିଛି ସମୟ ପାଇଁ ନିକଟସ୍ଥ ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି । ବର୍ତ୍ତମାନ ସୁଦ୍ଦା ଏହି ହାତୀପଲ ଉଭୟ ରାଜ୍ୟର ଜନବସତିଙ୍କ କୌଣସୀ ବିଶେଷ କ୍ଷୟକ୍ଷତି ଘଟାଇ ନାହାଁନ୍ତି । ତେବେ କେତେକ ଫଳ ବଗିଚା,ଆଖୁବାଡ ଓ କଦଳି ବାଡ ଆଦି ନଷ୍ଟ କରିଛନ୍ତି । ସୁଚନା ଯୋଗ୍ୟ,ଏହି ହାତୀପଲରେ ୬ଟି ହାତୀ ରହିଛନ୍ତି । ଏଥି ମଧ୍ୟରେ ଗୋଟିଏ ହାତୀ ଛୁଆ ମଧ୍ୟ ରହିଛି ତେବେ ଏହି ହାତୀ ଛୁଆକୁ ସୁରକ୍ଷା ଦେବାକୁଯାଇ ହାତୀ ମାନେ ହିଂସ୍ର ମଧ୍ୟ ହୋଇ ପାରନ୍ତି । ଏଥିପାଇଁ ଏହି ହାତୀପଲକୁ ଘୋଉଡାଇବାକୁ ଯାଇ ଉଭୟ ରାଜ୍ୟର ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରିବା ସହ ଟ୍ରାକିଂ ମଧ୍ୟ କରୁଛନ୍ତି । ଅନ୍ୟ ପକ୍ଷରେ ଏ ନେଇ କେତେକ ପରିବେଶବିତ୍ କହନ୍ତି ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଜଳ ସମସ୍ୟା ଥିବାରୁ ହାତୀପଲ ଜନବସତି ମୁହାଁ ହୋଇ ଦୀର୍ଘ ଦିନ ଧରୀ ଉକ୍ତ ଅଞ୍ଚଳରେ ଅବସ୍ଥାନ କରୁଛନ୍ତି । ଏହି ସମ୍ପର୍କରେ ରେଞ୍ଜ ଅଧିକାରୀ ଏମ୍.ନରସିଂହମ୍ଙ୍କୁ ପଚାରିବାରୁ ସେ କହିଲେ ଯେ,ହାତୀପଲ ଠିକ୍ ରାସ୍ତା ପାଇପାରୁ ନ ଥିବାରୁ ଏପଟେ ସେପଟେ ହେଉଛନ୍ତି । ଆମେ ସେମାନଙ୍କୁ ଜଙ୍ଗଲ ରାସ୍ତା ଦେଖାଇବା ପାଇଁ ଉଦ୍ୟମ ଜାରି ରଖିଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ