ବାତ୍ୟା ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍
ବ୍ରହ୍ମଗିରି ,(ଯୁଗାବ୍ଦ ନ୍ୟୁଜ)):ସୋମବାର ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ଗୋପ, ନିମାପଡ଼ା, କାକଟପୁର ଆଦି ବ୍ଲକ୍ର ବାତ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳର ବୁଲି ଦେଖିଛନ୍ତି କେନ୍ଦ୍ରିୟ ପ୍ରତିନିଧି ଦଳ । ଉଭୟ ବ୍ଲକ୍ର ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲି ଦେଖିଥିଲେ । ଅଞ୍ଚଳ ଲୋକଙ୍କ ସହ ମିଶି ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବୁଝିଥିଲେ । ବାତ୍ୟା ଫାନିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ହେବାର ୧୧ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିପନ୍ନମାନେ ଅଣ୍ଟା ସଳଖି ପାରିନାହାଁନ୍ତି । ପ୍ରଶାସନ ତରଫରୁ ରିଲିଫ ଓ ଥଇଥାନ କାର୍ଯ୍ୟ ଚାଲିଛି । ଓଡ୍ରାଫ ଟିମ୍, ବନ ବିଭାଗ ଦ୍ୱାରା ରାସ୍ତା ଘାଟ ସଫା କରାଯାଉଛି । ଏବେବି ବ୍ରହ୍ମଗିରି ଅଞ୍ଚଳରେ ବିଦ୍ୟୁତ ସେବା ଠପ୍ ହୋଇ ପଡିଛି । ବିଦ୍ୟୁତ, ମୋବାଇଲ ସେବା ଓ ପାନୀୟ ଜଳ ଯୋଗୁଁ ଜନଜୀବନ ଦୁର୍ବିସହ ହୋଇପଡିଛି । ଦୁର୍ଦ୍ଦିନ ପରିସ୍ଥିତରେ ପଡିରହିଥିବା ଫାନି କ୍ଷତିଗ୍ରସ୍ତମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ରବିବାରଠାରୁ ଓଡିଶା ଗ୍ରସ୍ତରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଆସିଛନ୍ତି । ସୋମବାର ସେମାନଙ୍କ ମଧ୍ୟରୁ ଏକ ଦଳ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ ଗ୍ରସ୍ତରେ ଆସିଥିଲେ । ଏହି ଦଳ ଜିଲ୍ଲା ପ୍ରଶାସନ ସହ କୃଷ୍ଣପ୍ରସାଦ ବ୍ଲକ୍ର ଅରଖକୁଦା ଓ ବ୍ରହ୍ମଗିରି ବ୍ଲକ୍ର ଭୁବନପୁର ପଞ୍ଚାୟତର ସାହାଜାନପୁର ଗାଁରେ ବାତ୍ୟା ବିପନ୍ନ ଅଞ୍ଚଳ ଦେଖିବା ସହ ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ଥିତି, ବିଦ୍ୟୁତ ସେବା ଏବଂ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଏହି ଗ୍ରାମର ବିପନ୍ନ ମାନେ କେନ୍ଦ୍ରୀୟ ଦଳଙ୍କ ନିକଟରେ ପହଞ୍ଚି ନିଜର ଦୁରାବସ୍ଥା ବିଷୟରେ କହିବା ସହ ତୁରନ୍ତ ଥଇଥାନ ନିମନ୍ତେ ଆବେଦନ କରିଥିଲେ । ଏହି କେନ୍ଦ୍ରୀୟ ତଦନ୍ତ କାରୀ ଦଳରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ବିବେକ ଗୋଏଲ, କୋଚିରେ ଅବସ୍ଥାପିତ ମୁଖ୍ୟ ନାରୀକେଳ ବିଭାଗ ଅଧିକାରୀ ସରାବିନ୍ଦୁ ଦାସ, ଭୁବନେଶ୍ୱରରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶର ମୁଖ୍ୟ ଯନ୍ତ୍ରୀ ରାଜେଶ କୁମାର ସାମି, ଅର୍ଥମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, କୃଷି ବିଭାଗ ନିର୍ଦ୍ଦେଶକ ବି. ମଥୁକୁମାର, ସେସୁର ସାଧିକା ଆଲାମ, ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର, ସଞ୍ଜିବ ଚୋପ୍ରା, ପୁରୀ ଜିଲାପାଳ ବଳବନ୍ତ ସିଂ, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ୱାଇଁ, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ରଞ୍ଜିତ ପରିଡା, ବ୍ରହ୍ମଗିରି ତହସିଲଦାର ଅଶୋକ କୁମାର ମହାନ୍ତି, ମଣ୍ଡଳଉନ୍ନୟନ ଅଧିକାରୀ ଭାସ୍କର ଚନ୍ଦ୍ର ରଇତ ଓ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବିଭାଗର ଅଧିକାରୀମାନେ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ସହ ପ୍ରତ୍ୟେକ ଗ୍ରାମକୁ ଯାଇଥିଲେ ।