ବାତ୍ୟା ‘ଅକୱାନ’ ସମୟରେ ରେଡ଼ିଓ ନମସ୍କାରର ୨୪ ଘଣ୍ଟିଆ ଜରୁରୀକାଳୀନ ପ୍ରସାରଣ

​କୋଣାର୍କ (ଓ୍ବାଇଏନଏସ) : ବାତ୍ୟା ‘ଅକୱାନ’ ମୁକାବିଲା ସମୟରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡ଼ିଓ ନମସ୍କାର’ ପକ୍ଷରୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ସୂଚନା ପ୍ରସାରଣ ଜାରି ରହିଥିଲା। ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କୋଣାର୍କ, କାକଟପୁର, ଗୋପ, ଅସ୍ତରଙ୍ଗ ଓ ନିମାପଡ଼ା ବ୍ଲକର ପ୍ରାୟ ୭୦୦ଟି ଗ୍ରାମର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ବାତ୍ୟା ସମ୍ପର୍କିତ ସଠିକ୍ ସୂଚନା ପହଞ୍ଚି ପାରିଛି। ସୋସିଆଲ ମିଡିଆରେ ପ୍ରଚାରିତ ଗୁଜବ ଓ ମିଥ୍ୟା ଖବରରୁ ଦୂରେଇ ରହି ଲୋକମାନେ ଯେପରି କେବଳ ସରକାରୀ ଅନୁମୋଦିତ ତଥ୍ୟ ପାଇପାରିବେ, ସେଥିପାଇଁ ରେଡ଼ିଓ ନମସ୍କାରର ଶ୍ରୋତା ମଣ୍ଡଳୀ ଓ ସ୍ୱେଚ୍ଛାସେବୀମାନେ ବିଶେଷ ପଦକ୍ଷେପ ନେଇଥିଲେ। ସେମାନେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ  ଲୋକଙ୍କୁ ସଚେତନ କରିବା ସହ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ସିଧାସଳଖ ପ୍ରଶାସନକୁ ଅବଗତ କରାଇଥିଲେ। ବିଶେଷ କରି କୋଣାର୍କ ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ବସବାସ କରୁଥିବା ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସୁବିଧା ପାଇଁ ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ବାତ୍ୟା ସୂଚନା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ରେଡ଼ିଓ ନମସ୍କାରର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମାନବାଧିକାର କର୍ମୀ ରୋଜାଲିନ ପ୍ରଧାନ କହିଛନ୍ତି ଯେ, ବାତ୍ୟା ସମୟରେ ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ରେଡ଼ିଓ ନମସ୍କାର ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବ୍ଲକ୍ ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରଖାଯାଇଥିଲା। ନିୟମିତ ବ୍ୟବଧାନରେ ସରକାରୀ ନିର୍ଦ୍ଦେଶାବଳୀ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ବେତାର କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସୂଚନାଯୋଗ୍ୟ ଯେ, ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀ ସୂଚନା ପ୍ରଦାନ ସହ ସରକାରୀ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ରେଡ଼ିଓ ନମସ୍କାର ସର୍ବଦା ଅଗ୍ରଣୀ ରହିଆସିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ଲିଡ୍ ରେଡ଼ିଓ’ ମାନ୍ୟତା ପ୍ରାପ୍ତ ଏହି ଗୋଷ୍ଠୀ ବେତାର କେନ୍ଦ୍ର ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଜନହିତକର ପ୍ରସାରଣ ପାଇଁ ଏଯାବତ୍ ସାତ ଥର ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇସାରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ