୩.ଠ୭% କମିଲା ପାଇକାରୀ ମୁଦ୍ରାସ୍ଫିତି
ନୂଆଦିଲ୍ଲୀ, (ଏଜେନ୍ସି): ଖାଦ୍ୟ ପଦାର୍ଥ ମହଙ୍ଗା ପରେ ବି ବିନିର୍ମାଣ ବସ୍ତୁ ଓ ଇନ୍ଧନ ମୂଲ୍ୟ କମିବା ଯୋଗୁଁ ଏପ୍ରିଲ୍ରେ ପାଇକାରୀ ମୁଦ୍ରାସ୍ଫିତିରେ ୩.୦୭% ହ୍ରାସ୍ ଘଟିଛି । ମଙ୍ଗଳବାର ଜାରୀ ସରକାରୀ ଆକଳନରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି । ପାଇକାରୀ ମୂଲ୍ୟ ସୂଚକାଂକ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫିତି ମାର୍ଚ୍ଚ ୨୦୧୯ରେ ୩.୧୮% ଥିବା ବେଳେ ଏପ୍ରିଲ୍ ୨୦୧୮ରେ ୩.୬୨% ରହିଥିଲା । ପନିପରିବା ମୂଲ୍ୟ ବଢ଼ିବା ଯୋଗୁଁ ଏପ୍ରିଲ୍ରେ ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫିତି ଅଧିକ ରହିଛି । ସରକାରୀ ଆକଳନ ଅନୁସାରେ ଏପ୍ରିଲ୍ରେ ପନିପରିବାର ମୁଦ୍ରାସ୍ଫିତି ୪୦.୬୫%ରେ ପହଞ୍ଚିଛି । ମାର୍ଚ୍ଚରେ ଏହା ୨୮.୧୩% ଥିଲା । ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫିତି ମାର୍ଚ୍ଚରେ ୫.୬୮% ବୃଦ୍ଧି ପାଇଁ ଏପ୍ରିଲ୍ ୨୦୧୯ରେ ୭.୩୭% ହୋଇଛି । ଅନ୍ୟପକ୍ଷରେ ଇନ୍ଧନ ଓ ବିଦ୍ୟୁତ୍ ଶ୍ରେଣୀରେ ମୁଦ୍ରାସ୍ଫିତି ଏପ୍ରିଲ୍ରେ ହ୍ରାସ୍ ପାଇ ୩.୮୪% ରହିଛି । ତେବେ ମାର୍ଚ୍ଚରେ ମୁଦ୍ରାସ୍ଫିତି ୫.୪୧% ଥିଲା । ଏହି ପ୍ରକାରରେ ବିନିର୍ମାଣ ବସ୍ତୁର ମୁଦ୍ରାସ୍ଫିତି ମାର୍ଚ୍ଚରେ ୨.୧୬%ରୁ ନିମ୍ନକୁ ଆସି ଏପ୍ରିଲ୍ରେ ୧.୭୨%ରେ ରହିଛି । ପ୍ରକାଶ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନିତୀର ସମୀକ୍ଷା ପାଇଁ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ଫିତିର ଆକଳନରେ ନଜର ରଖିଥାଏ । ରିଜର୍ଭ ବ୍ୟାଙ୍କ୍ ଗତ ବର୍ଷ ରେପୋ ରେଟ୍ରେ ୦,୨୫% ହ୍ରାସ୍ କରିଥିଲେ । ଜାରି ଆକଳନ ଅନୁସାରେ ପନିପରିବା, ମାଛ-ମାଂସ ଓ ଅଣ୍ଡା ପରି ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା ଯୋଗୁଁ ଏପ୍ରିଲ୍ରେ ଖୁଚୁରା ମୁଦ୍ରାସ୍ଫିତି ବୃଦ୍ଧି ପାଇ ୬ମାସର ଉଚ୍ଚତମ ସ୍ତରରେ ପହଞ୍ଚି ୨.୯୨%ରେ ରହିଛି । ରିଜର୍ଭ ବ୍ୟାଙ୍କ୍ ଏପ୍ରିଲ୍-ସେପ୍ଟେମ୍ବର ଅବଧିରେ ଖୁଚୁରା ମୁଦ୍ରାସ୍ଫିତିର ୨.୯ରୁ ୩% ରହିବାର ସମ୍ଭାବନା ଦର୍ଶାଯାଇଛି । ଏହି କାରଣରୁ ଖାଦ୍ୟ-ପାନୀୟ ସାମଗ୍ରୀ ଓ ଇନ୍ଧନର ମୂଲ୍ୟ ସାମାନ୍ୟ ରହିଛି । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଜୁନ୍ ପ୍ରାରମ୍ଭରେ ମୁଦ୍ରାନୀତି ସମିତି (ଏମ୍ପିସି)ର ବୈଠକ ଅନୁଷ୍ଠିତ ହେବ । ଏହା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ମୁଦ୍ରାନୀତି ସମୀକ୍ଷା ହେବ ।