୬ ଶହ ୫୦ ବର୍ଷ ହେଲା ପୋଖରୀରେ ବୁଡ଼ିରହିଛି ଶିବ ମନ୍ଦିର
ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । କେତେକ ମନ୍ଦିରର ରହସ୍ୟ ଶ୍ରଦ୍ଧାଳୁଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ଛତିଶଗଡ଼ ରାୟପୁରରେ ରହିଛି ଏକ ମନ୍ଦିର । ଏହା ୬ଶହ ୫୦ ହେଲା ପୋଖରୀରେ ବୁଡ଼ିରହିଛି । ଏଠାରେ ଥିବା ଏକ ପୋଖରୀ କୂଳରେ କଙ୍କାଳୀ ମାତା ମନ୍ଦିରକୁ ନାଗାସାଧୁମାନେ ନିର୍ମାଣ କରିଥିଲେ । ଏହାର ସମ୍ମୁଖରେ ଏକ ଛୋଟ ଶିବ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଥିଲା । ନାଗା ସାଧୁ ଏହି ଦୁଇ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ ହଠାତ୍ ଦିନେ ଶିବ ମନ୍ଦିର ପୋଖରୀ ପାଣିରେ ବୁଡ଼ିଗଲା । ପାଣି କଢ଼ାଯାଇ ମନ୍ଦିରରେ ପୂଜାର୍ଚ୍ଚନା କରାଗଲା । ମାତ୍ର ପରବର୍ତ୍ତୀ ସମୟରେ ଲଗାତାର ଏଭଳି ହେବାରୁ ଲୋକେ ପାଣି ବାହାର କରିବା ବନ୍ଦ କରିଦେଲେ । ଗତ ୭୦ ବର୍ଷ ମଧ୍ୟରେ ପୋଖରୀ ୪ ଥର ସଫା ହୋଇଛି । ଏହି ସମୟରେ ଶ୍ରଦ୍ଧାଳୁ ଏଠାରେ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ଦେଶ ସ୍ୱାଧୀନ ହେବା ପରେ ୧୯୬୫ରେ ମନ୍ଦିର ସଫା ହୋଇଥିବାବେଳେ ୧୯୭୫, ୧୯୯୯ ଏବଂ ୨୦୧୩ରେ ପୋଖରୀ ସଫା ହୋଇଛି । ଏଠାରେ ମାତା କଙ୍କାଳୀଙ୍କ ପୂଜା ପରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଶିବ ମନ୍ଦିରର ଉଚ୍ଚତା ୨୦ ଫୁଟ ହୋଇଥିବାବେଳେ ପୋଖରୀର ଗଭୀରତା ୩୦ ଫୁୁଟ ବୋଲି ଲୋକେ କୁହନ୍ତି । ପାଣି ଭିତରୁ ଉପରକୁ କେବଳ ମନ୍ଦିରର ଉପର ଭାଗ ତଥା ପତାକା ଦେଖାଯାଇଥାଏ । ପୋଖରୀରେ ଗାଧୋଇଲେ ବିଭିନ୍ନ ପ୍ରକାର ଚର୍ମରୋଗରୁ ମୁକ୍ତି ମିଳେ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।


