ମୋଦିଙ୍କୁ ଭେଟି ଆଲୋଚନା କଲେ କେଜରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କୋରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।
ବୈଠକ ପରେ କେଜରିୱାଲ କହିଛନ୍ତି, ଦିଲ୍ଲୀରେ ଆଗକୁ ଯେମିତି ଏଭଳି ଦଙ୍ଗା ସୃଷ୍ଟି ନ ହେବ ସେ ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ସେହିପରି ହିଂସାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ହିଂସା ସୃଷ୍ଟି କରିବା ପଛରେ ଥିବା ଲୋକମାନେ ଯେଉଁ ଦଳ, ଯେଉଁ ଧର୍ମ କିମ୍ବା ଯେଉଁ ବର୍ଗର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଛଡ଼ା ଯିବା କଥା ନୁହେଁ। ଏକଥା ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଛି। କ’ଣ ଘୃଣା ମନ୍ତବ୍ୟ ଉପରେ ଆଲୋଚନା ହୋଇଛି କି ପ୍ରଶ୍ନର ଉତ୍ତରରେ କେଜରିୱାଲ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ହେଟ୍‌ ସ୍ପିଚ୍‌ ଉପରେ ଆଲୋଚନା ହୋଇନାହିଁ।
କୋରୋନା ଭାଇରସ ସମ୍ପର୍କରେ ମଧ୍ୟ ମୋଦି ଓ କେଜରିୱାଲଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ କେଜରିୱାଲ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ ଓ ତେଲେଙ୍ଗାନାରେ ଦୁଇ ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବିଶ୍ୱରେ କୋରୋନା ଭାଇରସ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର କାର୍ଯ୍ୟ କରିବା ଉଚିତ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ