ରୋଗାକ୍ରାନ୍ତ ଦୁର୍ଯ୍ୟୋଧନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

କୋଦଳା: ସରକାର ଗ୍ରାମାଞ୍ଚଳର ଗରିବ ଲୋକ ମାନଙ୍କ ପାଇଁ ନାନା ପ୍ରକାର ଯୋଜନା କରୁଛନ୍ତି। ତେବେ ବାସ୍ତବରେ ଏହି ଯୋଜନା ଲୋକପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିଛି। ଗ୍ରାମର ୬୫ ବର୍ଷୀୟ ଦୁର୍ଯ୍ୟୋଧନ ଦାସଙ୍କ ପାଇଁ ସରକାରୀ ଯୋଜନା ଯେପରି ସାତ ସପନ ପାଲଟିଛି। ମୁଣ୍ଡ ଗୁଞ୍ଜିବାକୁ ଜାଗା କି ଘର ନଥିବାରୁ ଦୀର୍ଘ ଦିନ ଧରି ଭଡା ଘରେ ରହୁଥିଲେ। ତେବେ ଇତି ମଧ୍ୟରେ ଦୁର୍ଯ୍ୟୋଧନ ଦୁରାରୋଗ୍ୟରେ ପଡି ଷଢୁଥିବା ଯୋଗୁଁ ତାଙ୍କୁ ଆଉ ଘର ଭଡା ଦେବାକୁ କେହି ରାଜି ହୋଇ ନଥିଲେ। ସ୍ତ୍ରୀ ମଧ୍ୟ ରୋଗରେ ପଡି ଅନ୍ୟତ୍ର ରହୁଥିବା ବେଳେ ଦୁର୍ଯ୍ୟୋଧନଙ୍କ ଗୋଡ଼ ସଂକ୍ରମଣ ହୋଇ ପଚି ଗଲାଣି। ଚଳିବା ପାଇଁ ଅକର୍ମଣ୍ୟ ଥିବା ଦୁର୍ଯ୍ୟୋଧନ ବେସାହାରା ହୋଇ ଏବେ କିଛି ଦିନ ହେବ ବ୍ଲକ କାର୍ଯ୍ଯାଳୟ ପାଖରେ ଥିବା ଏକ ଯାତ୍ରୀ ବିଶ୍ରାମାଗାରରେ ଆଶ୍ରୟ ନେଇଛନ୍ତି। ଏନେଇ ବାରମ୍ବାର ସରପଞ୍ଚଙ୍କ ସମେତ ବିଭିନ୍ନ ଅଧିକାରୀ ମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ମାସିକ ଭତ୍ତା, ଆବାସ ଗୃହ, ମାଗଣା ଚିକିତ୍ସା ସେବା ଦୁର୍ଯ୍ୟୋଧନକଂ କ୍ଷେତ୍ରରେ ଜରୁରୀ ଆବଶ୍ୟକ ଥିବା ବେଳେ ସେ ଏଥିରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ନିଜ ପଞ୍ଚାୟତରେ ଏଭଳି ବ୍ଯକ୍ତିଙ୍କ ଉପରେ ଦୃଷ୍ଟି ନ ପଡିବା ଯୋଜନାକୁ ଉପହାସ କରୁଛି। ଏବେ ନିରୁପାୟ ହୋଇ ପିଣ୍ଡା ବାଡ଼ରେ ଆଶ୍ରୟ ନେଉଥିବା ଦୁର୍ଯ୍ୟୋଧନଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଅତି ଦୟନୀୟ ଅବସ୍ଥାରେ ଗତି କରୁଛି। କିଏ କିଛି ଦେଲେ ଖାଉଛନ୍ତି ତ ନ ମିଳିଲେ ଭୋକ ଉପାସରେ ରହୁଛନ୍ତି। ଏଭଳି ବ୍ଯକ୍ତିଙ୍କୁ ତୁରନ୍ତ ସହାୟତା କରି ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେଲେ ଦୁରାରୋଗ୍ୟରୁ ନିଶ୍ଚିତ ଭାବେ ଆରୋଗ୍ୟ ହୋଇ ପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ